Categories: ଜାତୀୟ

ବ୍ରିଜ ଭୂଷଣ ଶରଣ ସିଂ ମାମଲା: କୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୭।୫: ଯୌନ ନିର୍ଯ୍ୟାତନା ଅଭିଯୋଗର ସମ୍ମୁଖୀନ ହେଉଥିବା ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ମାମଲା ଥମିବାର ନାଁ ନେଉନାହିଁ। ବର୍ତ୍ତମାନ ଏହି ମାମଲାରେ ଦିଲ୍ଲୀ ପୋଲିସ ରୌଜ୍‌ ଏଭିନ୍ୟ କୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛି। ଦିଲ୍ଲୀ ପୋଲିସ କହିଛି, ଏହି ମାମଲା ସହ ଜଡିତ ୧୬୪ ପୀଡିତାଙ୍କ ବିବୃତ୍ତି ରେକର୍ଡ କରାଯାଇଛି। ରୌଜ୍‌ ଏଭିନ୍ୟ କୋର୍ଟ ଦିଲ୍ଲୀ ପୋଲିସର ଷ୍ଟାଟସ୍‌ ରିପୋର୍ଟକୁ ରେକର୍ଡରେ ନେଇଛନ୍ତି। ଅଭିଯୋଗକାରୀଙ୍କୁ ଷ୍ଟାଟସ୍‌ ରିପୋର୍ଟର ଏକ ନକଲ ଦେବାକୁ କୋର୍ଟ କହିଛନ୍ତି। ତେବେ ଷ୍ଟାଟସ୍‌ ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଆଧାରରେ ରୌଜ୍‌ ଏଭିନ୍ୟ କୋର୍ଟ ଜୁନ ୨୭ରେ ମାମଲାର ଶୁଣାଣି କରିବେ।

ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଚାଲିଥିବା ପ୍ରଦର୍ଶନ ଉପରେ ଯୋଗଗୁରୁ ବାବା ରାମଦେବ କୁସ୍ତିଯୋଦ୍ଧାମାନଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, କୁସ୍ତି ସଂଘର ସଭାପତିଙ୍କ ବିରୋଧରେ ଆସିଥିବା ଅଭିଯୋଗ ଗମ୍ଭୀର। ତାଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ୍‌।

Share