ଦିଗପହଣ୍ଡି, ୩୦।୧୦ (ଅଶେଷ ନାଥ ମିଶ୍ର): ଲଗାଣ ବର୍ଷା ପରେ ନାଳରେ ପ୍ରବାହିତ ପ୍ରଖର ଜଳସ୍ରୋତ ଯୋଗୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଡେଙ୍ଗାଓସ୍ତା-ଭୀଷ୍ମଗିରି ରାସ୍ତାର ପାଞ୍ଚଆମ୍ବ ନିକଟରେ ଥିବା ପୋଲ ଭାସିଯାଇଛି। ଫଳରେ ଡେଙ୍ଗାଓସ୍ତାଠାରୁ କଇଠଖଣ୍ଡି ଭାୟା ଭୀଷ୍ମଗିରି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଏହାଦ୍ୱାରା ୨୫ରୁ ଊର୍ଦ୍ଧ୍ୱ ଗ୍ରାମକୁ ଯାନବାହନ ଚଳାଚଳ ବନ୍ଦ ରହିଛି। ରାସ୍ତା ଧୋଇଯାଇଥିବାରୁ ପଥଚାରୀଙ୍କ ଯାତାୟାତ ମଧ୍ୟ ଠପ ହୋଇଯାଇଛି।
ପ୍ରାୟ ୩ ବର୍ଷ ପୂର୍ବେ ୩୨୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଡେଙ୍ଗାଓସ୍ତା ଛକଠାରୁ କଇଠଖଣ୍ଡି ପର୍ଯ୍ୟନ୍ତ ପ୍ରାୟ ୧୫ କିଲୋମିଟର ରାସ୍ତା ୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା। ତେବେ ରାସ୍ତା ଓ ପୋଲଗୁଡ଼ିକ ନିର୍ମାଣ ସମୟରେ ଅତି ନିମ୍ନମାନର କାମ ହୋଇଥିବାରୁ ଏବେ ସେଗୁଡ଼ିକ ନଷ୍ଟ ହୋଇପଡ଼ିଥିବା ଅଭିଯୋଗ ହୋଇଛି।
ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ସମୟରେ ସମ୍ପୃକ୍ତ ଠିକାଦାର ମରାମତି ଓ ରକ୍ଷଣାବେକ୍ଷଣ ନେଇ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ଆଦୌ ମରାମତି କରାଯାଇନଥିବା ଭୀଷ୍ମଗିରି ଓ କଇଠଖଣ୍ଡି ଗ୍ରାମର ଅନେକ ସଚେତନ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଫାସିଗୁଡ଼ାରେ ୬ ଫୁଟ ଉଚ୍ଚରେ ପ୍ରବାହିତ ହେଲା ବନ୍ୟାଜଳ ଅନ୍ୟପକ୍ଷରେ, ଦିଗପହଣ୍ଡି ବ୍ଲକର ଫାସିଗୁଡ଼ା ଗ୍ରାମର ମୁଖ୍ୟ ରାସ୍ତାରେ ଗୋପାଳଗଣ୍ଡର ତପ୍ତପାଣି-ଖାରିଆ ନାଳର ଜଳ ନିଷ୍କାସନରେ ବୈଷୟିକ ତ୍ରୁଟି ଯୋଗୁ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଫଳରେ ଫାସିଗୁଡ଼ା ଗ୍ରାମର ଢେପସାହି ଓ ନୂଆସାହି ମଧ୍ୟ ଦେଇ ପ୍ରାୟ ୬ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେବା ସହ ଅନେକ ଲୋକଙ୍କ ଘରେ ବନ୍ୟାଜଳ ପଶିଯାଇଥିଲା।
ଏଭଳି ସ୍ଥିତିରେ ଫାସିଗୁଡ଼ା ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ ସ୍ଥାନୀୟ ଲୋକଙ୍କ ସହଯୋଗରେ ବିପନ୍ନ ପରିବାରଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ନେଇଥିଲେ। ଏଥିସହ ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା। କଲ୍ୟାଣପୁର, ଗୁହାଳପୁର ଓ ଓଡ଼ାସିଙ୍ଗିରେ ମଧ୍ୟ ବନ୍ୟାଜଳ
କଇଠଡ଼ା ପଞ୍ଚାୟତର କଲ୍ୟାଣପୁର, ଗୁହାଳପୁର, ଓଡ଼ାସିଙ୍ଗି ସମେତ ଅନେକ ଗ୍ରାମର ଲୋକଙ୍କ ଘରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଥିଲା। ଫଳରେ ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼ ବିପନ୍ନଙ୍କ ନିକଟରେ ପହଞ୍ଚି ପଞ୍ଚାୟତ ପକ୍ଷରୁ ସହାୟତା ଯୋଗାଇ ଦେଇଥିଲେ। ଶୁକ୍ରବାର ସକାଳଠାରୁ ବର୍ଷାର ପରିମାଣ କମିବା ପରେ ଅଞ୍ଚଳର ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ଜଣାପଡ଼ିଛି।