Categories: ଜାତୀୟ

ଘଣ୍ଟା କମ୍ପାନୀକୁ ବ୍ରିଜ୍‌ ଦାୟିତ୍ୱ

ମୋର୍‌ବି,୨ା୧୧: ବ୍ରିଟିଶ ଅମଳର ଶତାବ୍ଦୀ ପୁରୁଣା ବ୍ରିଜ୍‌ର ମରାମତି, ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଓରେଭା କମ୍ପାନୀକୁ କାହିଁକି ଦିଆଯାଇଥିଲା ବୋଲି ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। ଓରେଭା ଗ୍ରୁପ୍‌ ହେଉଛି ଅଜନ୍ତା କାନ୍ଥଘଣ୍ଟା, ସିଏଫ୍‌ଲ୍‌ ବଲ୍‌ବ ଏବଂ ଇ-ବାଇକ୍‌ ନିର୍ମାଣକାରୀ କମ୍ପାନୀ, ଯାହାର ବ୍ରିଜ୍‌ ନିର୍ମାଣ କ୍ଷେତ୍ରରେ କୌଣସି ଅଭିଜ୍ଞତା ନାହିଁ। ଏହି କମ୍ପାନୀ ଉକ୍ତ ବ୍ରିଜ୍‌କୁ ଗତ ୨୬ ତାରିଖରେ ଖୋଲିବା ପୂର୍ବରୁ ମୋର୍‌ବି ପୌରପାଳିକାଠାରୁ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନେଇ ନ ଥିଲା। ରକ୍ଷଣାବେକ୍ଷଣ ପାଇଁ ଅନୂ୍ୟନ ୮ ମାସରୁ ୧ ବର୍ଷ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖାଯିବା କଥା। କିନ୍ତୁ ଅତି ତରବରିଆ ଭାବେ ଗୁଜରାଟୀ ନବବର୍ଷରେ ଏହାକୁ ଲୋକଙ୍କ ପାଇଁ ଖୋଲାଯାଇଥିଲା। ଏହା ଗମ୍ଭୀର ଦାୟିତ୍ୱହୀନତା ବୋଲି ପୋଲିସ ଏଫ୍‌ଆଇଆର୍‌ରେ ଦର୍ଶାଇଛି।
ରବିବାର ଛୁଟି ଥିବାରୁ ବ୍ରିଜ୍‌ରେ ପ୍ରବଳ ଗହଳି ହୋଇଥିଲା। ଟିକେଟ ପିଛା ୧୨ରୁ ୧୭ ଟଙ୍କାରେ ବିକ୍ରି କରାଯାଇଥିଲା, ଯାହାକି ପିଲାଙ୍କ ପାଇଁ ୧୦ ଓ ବୟସ୍କଙ୍କ ଲାଗି ୧୫ ଟଙ୍କା ରଖିବାକୁ ପୂର୍ବରୁ ଧାର୍ଯ୍ୟ ହୋଇଥିଲା। ୧୫୦ ଧାରଣ କ୍ଷମତା ବିଶିଷ୍ଟ ଝୁଲାପୋଲ ଉପରକୁ ୬୫୦ରୁ ଅଧିକ ଲୋକ ଯିବା ପରେ ପୁରୁଣା ମେଟାଲ କେବୁଲ ଛିଣ୍ଡି ପଡ଼ିଥିଲା। କଳଙ୍କି ଲାଗିଯାଇଥିବା କେବୁଲଗୁଡ଼ିକୁ ଗତ ୭ ମାସର ମରାମତି ସମୟରେ ବଦଳାଯାଇ ନ ଥିଲା ବୋଲି ଗୁଜରାଟ ଫରେନ୍‌ସିକ୍‌ ଲାବରେଟୋରି ଜାଣିବାକୁ ପାଇଛି। ଏହି ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଓରେଭାର ୨ ମ୍ୟାନେଜର, ୨ ଟିକେଟ୍‌ କଲେକ୍ଟର, ବ୍ରିଜ୍‌ ମରାମତି କରିଥିବା ୨ କଣ୍ଟ୍ରାକ୍ଟର ଓ ୩ ଜଣ ସିକ୍ୟୁରିଟି ଗାର୍ଡ ଥିବା ରାଜକୋଟ ରେଞ୍ଜ ପୋଲିସ ଆଇଜି ଅଶୋକ ଯାଦବ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଓରେଭା ଗ୍ରୁପ୍‌ ଏଥିରେ ୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିଥିବାରୁ ଉକ୍ତ ଅର୍ଥ ଆଦାୟ କରିବା ଲାଗି ତରବରିଆ ଭାବେ ଖୋଲିଥିବା କୁହାଯାଉଛି।

Share