କେନ୍ଦୁଝର,୧୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ନଦୀ, ନାଳରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହ ହେଉଥିବାରୁ ଯାତାୟାତ ସମସ୍ୟା ସୃଷ୍ଟି ହେଉଛି। ଅନ୍ୟପକ୍ଷେ ବାଂଶପାଳ ବ୍ଲକ କଖାରୁଆ ନାଳରେ ପୋଲ ଭାଙ୍ଗିଯିବାରୁ ଉପର ବିରିକଳାରୁ ଲୁଙ୍ଗାଝର ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଏହି ପୋଲଦେଇ ଯାତାୟତ କରୁଥିବା ପ୍ରାୟ ୧୦ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଜରୁରୀ ସେବା ଅପହଞ୍ଚ ହୋଇପଡିଛି। ବିଶେଷ କରି ଗର୍ଭବତୀ ମହିଳା, ରୋଗୀଙ୍କୁ ନେବା ଆଣିବାରେ ଅସୁବିଧା ହେଉଛି।
ପ୍ରତ୍ୟେକ ବର୍ଷ ବନ୍ୟା ଆସିଲେ ପ୍ରଖର ସ୍ରୋତରେ ପୋଲ ଓ ରାସ୍ତା ଭାସି ଯାଉଥିବା ନଜ ରହିଛି। ଏନେଇ ଏଠାରେ ଏକ ବଡ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ୫ ବର୍ଷ ହେଲା କଂକ୍ରିଟ ପୋଲ ନିର୍ମାଣ କାମ ସରୁନାହିଁ। ନିର୍ମାଣ କାମ ବିଳମ୍ବ ହେଉଥିବାରୁ ପ୍ରତ୍ୟେକ ବର୍ଷ ଅଞ୍ଚଳର ଲୋକଙ୍କୁ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଲୋକ ପ୍ରତିନିଧିମାନେ ଆସୁ ନାହାନ୍ତି କିମ୍ବା ସେମାନଙ୍କ ସମସ୍ୟା ଦେଖୁନାହାନ୍ତି ବୋଲି କହିଛନ୍ତି ଅନାଦି ନାଏକ ଅଭିଯୋଗ କରିଛନ୍ତି।
ବର୍ଷା ହେଲେ ଲୋକ ବାହାରକୁ ଯାଇ ପାରୁନାହାନ୍ତି ଏବଂ ପିଲାମାନେ ସ୍କୁଲ କଲେଜ ଯିବା ଆସିବା କରିପାରୁନାହାନ୍ତି। ଏଣୁ ଏହାର ତୁରନ୍ତ ନିର୍ମାଣ ଶେଷ କରିବାକୁ ସ୍ଥାନୀୟ ଅଧିବାସୀ ପ୍ରଶାସନଙ୍କୁ ନିବେଦନ କରିଛନ୍ତି।