ଭାଙ୍ଗିଲା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ଫୁଲବାଣୀ,୧୫ା୯(ରାକେଶ କୁମାର ରାଉତ)/ଫିରିଙ୍ଗିଆ,(ବିକ୍ରମ ଦିଗାଲ): କନ୍ଧମାଳ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ଫିରିଙ୍ଗିଆ ବ୍ଲକରେ ବର୍ଷାର ପ୍ରଭାବ ଅଧିକ ପରିଲକ୍ଷିତ ହୋଇଛି। ବର୍ଷାରେ ଲୋକଙ୍କ ସ୍ଥିତି ବେହାଲ ହୋଇଛି। କିଛି ସ୍ଥାନରେ ପୋଲ ଭାଙ୍ଗିବା ସହ ଯୋଗାଯୋଗ ବିଛିନ୍ନ ହୋଇଥିବା ସୂଚନା ମିଳିଛି। ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଅନେକ ଉପାନ୍ତ ଅଞ୍ଚଳ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି।
ବର୍ଷା ଯୋଗୁ କୁଏରମାଣ୍ଡୁ ପଞ୍ଚାୟତର କନ୍ଦଣୀ ଗାଁ ନିକଟରେ ପୋଲ ଭାଙ୍ଗିଯାଇଛି। ୮ଟି ଗାଁ ପାଦେରୀପଡ଼ା, କଲମପଡା, ମାଝୀପଡା, ଦୁବସରା, ବେରେଣୀ, କୋଲେଟପଡା, ବାରାହାଲା, ପିଲାପଦର ଆଦି ଗାଁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ସୁମେରବନ୍ଧ ପଞ୍ଚାୟତ ରାତାମାସ୍କା ଗାଁ ରାସ୍ତା ବର୍ଷାରେ ଧୋଇ ହୋଇ ଥିବାରୁ ଯାତାୟାତ ବାଧା ପ୍ରାପ୍ତ ହୋଇଛି। କାଶିନୀ ପଦର ପଞ୍ଚାୟତ ଗୋପୀଙ୍ଗିଆ କ୍ଷୁଦ୍ର ଜଳ ସେଚନ ଡ୍ୟାମରେ ବର୍ତ୍ତମାନ ଚଳିତ ବର୍ଷ ହୁଡ଼ା କାର୍ଯ୍ୟ କରାଯାଇଥିଲା। ବର୍ଷା ଯୋଗୁ ଏହା ମଧ୍ୟ ଧୋଇ ହୋଇଯାଇଛି। ବାଘ ନଦୀ ଜଳ ସ୍ତର ବଢିଥିବା ବେଳେ ଲୁଇସିଂ ପଞ୍ଚାୟତର କେଡ଼ିଯୋଡି ନାଳରେ ମଧ୍ୟ ଜଳ ସ୍ତର ବଢ଼ି ରାସ୍ତାରେ ପାଣି ମାଡି ଯାଇଛି ା ଫଳରେ ଯାତାୟାତ ବାଧା ପ୍ରାପ୍ତ ହୋଇଛି। ସେହିପରି ବର୍ଷାରେ ମାଶ୍ରୀପଡା ଛକଠାରୁ କେଳାପଡା ଯିବା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ରାସ୍ତାର କିଛି ସ୍ଥାନରେ ମଧ୍ୟ ରାସ୍ତା କଡ଼ ଧୋଇ ହୋଇ ନଷ୍ଟ ହୋଇଛି। କ୍ରାଣ୍ଡିବାଲି ପଞ୍ଚାୟତର ଡଙ୍ଗିମେଣ୍ଡିଠାରେ ବାଘ ନଦୀ ଜଳ ସ୍ତର ବଢ଼ିବାରୁ ଦୁଇଟି ଗାଁ ଯୋଗାଯୋଗ ବିଛିନ୍ନ ହୋଇଛି। ଜମିରେ ବାଲି ମାଡି ଯିବାରୁ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି।