ବିବାହବେଳେ ହଠାତ୍‌ ବିଦ୍ୟୁତ କାଟ୍‌ ଯୋଗୁ ବର ଅଦଳବଦଳ

ଭୋପାଳ,୧୦।୫: ବିଦ୍ୟୁତ ବିଭ୍ରାଟ ହେତୁ ମଧ୍ୟପ୍ରଦେଶର ଉଜୈନ ଜିଲାରେ ଏକ ଅଜବ ଘଟଣା ଘଟିଛି। ଅନ୍ଧାର ଯୋଗୁ ବିବାହ ସମାରୋହରେ ବର ଅଦଳବଦଳ ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି। ବିଜୁଳି ଆସିବା ପରେ ବର ଏବଂ ତାଙ୍କ ପରିବାର ଅଦଳବଦଳ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ମାତା ପୂଜନ ସମୟରେ ହୋଇଥିବା ଭୁଲ ସାତ ଫେରାବେଳେ ସଂଶୋଧନ କରାଯାଇଥିଲା।
ଜିଲାର ଇଙ୍ଗୋରିଆ ପୋଲିସ ଷ୍ଟେଶନର ଆସଲାନା ଗାଁରେ ରମେଶଲାଲଙ୍କ ତିନି ଝିଅ ଏବଂ ଗୋଟିଏ ପୁଅ ବିବାହ ଥିଲା। ରବିବାର ତାଙ୍କର ଦୁଇ ଝିଅ ନିକିତା ଏବଂ କରିସ୍ମା ଡାଙ୍ଗୱାଡାର ଭୋଲା ଏବଂ ଗଣେଶଙ୍କୁ ବିବାହ କରିଥିଲେ। ଏହି ଦୁଇ ଯୁବକ ଦୁଇ ଭିନ୍ନ ଭିନ୍ନ ପରିବାରର। ବରଯାତ୍ରୀ ଆସିବା ପରେ ରାତି ପ୍ରାୟ ୧୧.୩୦ ସମୟରେ ମାତା ପୂଜନ ହୋଇଥିଲା। ଏହି ରୀତିନୀତି ଚାଲିଥିବାବେଳେ ହଠାତ୍‌ ବିଜୁଳି ଯିବାରୁ ନିକିତା ଗଣେଶଙ୍କ ହାତ ଧରିଥିଲେ ଏବଂ କରିସ୍ମା ଭୋଲାଙ୍କ ହାତ ଧରିଥିଲେ। ରାତି ପ୍ରାୟ ୧୨.୩୦ରେ ବିଜୁଳି ଆସିବା ପରେ ଉଭୟ ବର ଏବଂ ତାଙ୍କ ପରିବାର ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅବଶ୍ୟ, ଏହି ଭୁଲକୁ ସକାଳ ୫ଟାରେ ସାତ ଫେରାବେଳେ ସମୟରେ ସଂଶୋଧନ କରାଯାଇଥିଲା। ସାତ ଫେରାବେଳେ ନିକିତା ଭୋଲାଙ୍କ ଏବଂ କରିସ୍ମା ଗଣେଶଙ୍କ ହାତ ଧରିଥିଲେ।
ଆସଲାନା ଗାଁରେ ପ୍ରତିଦିନ ବିଦ୍ୟୁତ ବିଭ୍ରାଟ ହେଉଥିବା ସମ୍ପର୍କୀୟମାନେ କହିଛନ୍ତି। କେବଳ ଏତିକି ନୁହେଁ, ଏହି ପାୱାର କଟ ଅନେକ ଘଣ୍ଟା ଧରି ରହିଥାଏ।

Share