ବରଙ୍କୁ ବେଦୀରେ ଛାଡ଼ି କାଉନସେଲିଂକୁ ଗଲେ କନ୍ୟା, ଆଉ ତା’ ପରେ…

ଲକ୍ଷ୍ନୌ,୪ା୧୨: ବିବାହ ପାଇଁ ବେଦୀରେ ବସିଥିଲେ ବରକନ୍ୟା। ସକାଳ ୫ଟାରେ ବର କନ୍ୟାଙ୍କ ମୁଣ୍ଡରେ ସିନ୍ଦୁର ଦେବା ପରେ ବେଦୀ ଉପରୁ ଚାକିରି ପାଇଁ କାଉନସେଲିଂକୁ ଚାଲିଯାଇଥିଲେ କନ୍ୟା। ସେଠାରେ ଏକ ସରକାରୀ ଚାକିରି ପାଇ ପୁଣି ଫେରି ଆସି ଖୁସିରେ ଖୁସିରେ ବାପଘରୁ ଶାଶୁଘରକୁ ବିଦା ହୋଇଛନ୍ତି। ଏପରି ଏକ ଖୁସି ତଥା ଅନନ୍ୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଗୋଣ୍ଡା ଜିଲାରେ।

ଗୋଣ୍ଡା ରାମନଗରର ବାରବାଙ୍କି ନିବାସୀ ପ୍ରଜ୍ଞା ତିଓ୍ବାରୀ ହାତରେ ମେହେନ୍ଦୀ ଲଗାଇ ତାଙ୍କର ଡକ୍ୟୁମେଣ୍ଟ ଧରି ଫର୍ମ ପୂରଣ କରୁଥିବା ନଜର ଆସିଥିଲେ। ଏପରିକି ତାଙ୍କ କେଶ ରଜନୀଗନ୍ଧା ଫୁଲରେ ସଜ୍ଜିତ ହୋଇଥିଲା।

ପ୍ରଜ୍ଞା ବୁଧବାର ବିବାହ କରିଥିଲେ ଏବଂ ଗୁରୁବାର ଭୋର୍‌ ୫ଟାରେ ସ୍ବାମୀ ତାଙ୍କ ମୁଣ୍ଡରେ ସିନ୍ଦୁର ଲଗାଇଥିଲେ। ପରେ ପ୍ରଜ୍ଞା ଗୋଣ୍ଡାର ବିଏସ୍‌ଏ ଅଫିସକୁ ଯାଇଥିଲେ।

ଉକ୍ତ ଦିନ ହିଁ ତାଙ୍କର କାଉନସେଲିଂ ତାରିଖ ସ୍ଥିର ହୋଇଥିବାରୁ ପ୍ରଜ୍ଞା ଅନେକ ରୀତିନୀତି ଛାଡ଼ି କେବଳ ସାତ ଫେରା ପରେ କାଉନସେଲିଂକୁ ଯାଇଥିଲେ। ଧାଡ଼ିରେ ଠିଆ ହୋଇ କାଗଜପତ୍ର ଯାଞ୍ଚ କରି ନିଯୁକ୍ତି ପତ୍ର ପାଇଥିଲେ। ତାଙ୍କ ମୁହଁରେ ହସ ଫୁଟି ଉଠିଥିଲା। କାରଣ ଏକାବେଳକେ ଦୁଇ ଦୁଇଟି ଶୁଭ କାମରେ ସଫଳତା ପାଇଲେ।

ପ୍ରଜ୍ଞା କୁହନ୍ତି, କ୍ୟାରିୟର ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେ ତାଙ୍କ ସ୍ବାମୀଙ୍କୁ ବେଦୀରେ ଛାଡ଼ି ତାଙ୍କୁ ଅପେକ୍ଷା କରିବାକୁ କହି ଆସିଥିଲେ। ସେଠାରେ ସମସ୍ତେ ଅପେକ୍ଷା କରିଥିବା ବେଳେ ପ୍ରଜ୍ଞା ଫେରି ଆସି ଫେରି ସ୍ବାମୀଙ୍କ ସହିତ ଶାଶୁଘରକୁ ଯାଇଥିଲେ। ସେ କୁହନ୍ତି, ସ୍ବାମୀ ତାଙ୍କ ପାଇଁ ବହୁ ଭାଗ୍ୟବାନ। ତାଙ୍କ ଜୀବନରେ ସେ ଆସିଲେ ବୋଲି ତାଙ୍କୁ ଚାକିରି ମିଳିଗଲା। ପ୍ରଜ୍ଞା ସମାଜର ସମସ୍ତ ମା-ବାପାଙ୍କୁ ଏହି ପରାମର୍ଶ ଦେଇଛନ୍ତି କି, ଝିଅମାନଙ୍କୁ ଏମିତି ଶିକ୍ଷା ପ୍ରଦାନ କରନ୍ତୁ ଯାହା ଦ୍ୱାରା ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ। ପ୍ରଜ୍ଞା ତାଙ୍କ ମାତାପିତାଙ୍କୁ ଶ୍ରେୟ ଦେବା ସହ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

ମୌଳିକ ଶିକ୍ଷାଧିକାରୀ ମଧ୍ୟ ପ୍ରଜ୍ଞାଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ଗତକାଲି ସେ ବିବାହ କରିଥିଲେ ଆଉ ଆଜି ଚାକିରି ପାଇଲେ। ଏହା ନିଶ୍ଚିତ ଏକ ବଡ଼ କଥା। ପ୍ରଜ୍ଞା ଗୋଣ୍ଡାର ମୌଳିକ ଶିକ୍ଷା ବିଭାଗରେ ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତି ପାଇଛନ୍ତି।

Share