କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ): ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ ଟିପରା ଗାଁର ବର୍ଷାରାଣୀ ଦାସ କଟକ ରାଉସାପଟଣାର ବିବେକ ଦାସଙ୍କୁ ୨୦୨୫ ଡିସେମ୍ବର ମାସରେ ବିବାହ କରିଥିଲେ। ଯୌତୁକ ବାବଦକୁ ଟଙ୍କା ସହ ସୁନା ଅଳଙ୍କାର ମଧ୍ୟ ଦେଇଥିଲେ ପରିବାର ଲୋକେ ହେଲେ ବାହାଘର ପରେ ସ୍ବାମୀଙ୍କ ସହ ଶାଶୁଘର ଲୋକେ ବର୍ଷାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ।
ବାରମ୍ବାର ତାଙ୍କୁ ମାଡ ମାରିବା ସହ ନିର୍ଯାତନା ଦେଉଥିଲେ ଏବଂ ଯୌତୁକ ମାଗୁଥିବା ଅଭିଯୋଗ କରିଛନ୍ତି ବର୍ଷାଙ୍କ ପରିବାର ଲୋକେ । ଗତ ଏପ୍ରିଲ ମାସରେ ବର୍ଷାଙ୍କ ପରିବାରଙ୍କଠୁ ୧ ଲକ୍ଷ ଟଙ୍କା ବର୍ଷାଙ୍କ ସ୍ୱାମୀ ବେବେକ ଦାସ ନେଇଥିବା ଅଭିଯୋଗ ହୋଇଛି । ତେବେ ଶନିବାର ଶାଶୁ ଘରେ ବର୍ଷାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ଏନେଇ ବର୍ଷାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣି ପୁରୀଘାଟ ଥାନା ସ୍ୱାମୀ, ଶାଶୁ ଶ୍ବଶୁର ଏବଂ ଦିଅର ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ସ୍ୱାମୀ ବିବେକଙ୍କୁ ଅଟକ ରଖିଛି ।