ବଧୂ ହତ୍ୟା ଅଭିଯୋଗ: ଶାଶୁ, ଶ୍ୱଶୁର ଗିରଫ

ଔପଦା, ୨୫।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ରାଏରାମଚନ୍ଦ୍ରପୁର ପଞ୍ଚାୟତ ଶୋରିଷପାଳ ଗ୍ରାମରେ ବଧୂ ହତ୍ୟା ଅଭିଯୋଗରେ ଶାଶୁ ସୁକାନ୍ତି ରାଉତ ଓ ଶ୍ୱଶୁର ସୁକାନ୍ତ ରାଉତ (ଅଗଣି)ଙ୍କୁ ଔପଦା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ ସୂଚନା ଅନୁଯାୟୀ, ୨୦୧୫ ମସିହାରେ ଖଇରା ଥାନା ନୁଆଗାଁବଡ ଗ୍ରାମର ରାମଚନ୍ଦ୍ର ନାୟକଙ୍କ ଝିଅ ରଶ୍ମିତା ଔପଦା ଥାନା ଶୋରିଷପାଳ ଗ୍ରାମର ସୁକାନ୍ତ ରାଉତଙ୍କ ବଡପୁଅ ଲମ୍ବୋଦର ରାଉତଙ୍କ ସହିତ ବୈଦୀକ ରୀତିରେ ବିବାହ ହୋଇଥିଲା। ବିବାହର କିଛି ଦିନ ପରେ ଶ୍ୱଶୂର ଘର ଲୋକଙ୍କ ପକ୍ଷରୁ ଅଧିକ ଯୌତୁକ ଦାବି କରି ରଶ୍ମିତାଙ୍କୁ ମାନସିକ ଓ ଶାରିରିକ ନିର୍ଯାତନା ଦେଉଥିଲେ। ତେବେ ଗତ ୨୨ ତାରିଖରେ ଶାଶୁ ଘର ଲୋକେ ବୋହୂକୁ ଜୀବନରୁ ମାରିଦେଇଥିବା ରଶ୍ମିତାଙ୍କ ବାପା ରାମଚନ୍ଦ୍ର ନାଏକ ଔପଦା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ କେନ୍ଦ୍ର କରି ଔପଦା ପୋଲିସ ଏକ (ନଂ.୧୨/୨୧) ରୁଜୁ କରି ତଦନ୍ତ ଜାରି ରଖିଥିଲା।