Categories: ଜାତୀୟ

ବରଙ୍କଠାରୁ ୬ ଲକ୍ଷ ଲୁଟି ନେଲେ କନ୍ୟା

ଲକ୍ଷ୍ନୌ,୧୮।୧: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ କନ୍ୟା ବିବାହ ପୂର୍ବରୁ ବରଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏହି ଟଙ୍କାରେ ସେ ଶପିଂ କରି ପରେ ଫେରାର ହୋଇ ଯାଇଛନ୍ତି। ମନୋଜ ଅଗ୍ରଓ୍ବାଲ ନାମକ ଜଣେ ଯୁବକ ମାଟ୍ରିମୋନିଆଲ୍‌ ଓ୍ବେବସାଇଟ୍‌ ଜୀବନସାଥୀ ଡଟ୍‌ କମ୍‌ରୁ ପ୍ରିୟଙ୍କା ସିଂ ନାମ୍ନୀ ଜଣେ ଯୁବତୀଙ୍କ ସହିତ ଚିହ୍ନା ପରିଚୟ ହୋଇଥିଲେ। ଏହାପରେ ବିବାହ କରିବା ନେଇ ଯୁବକଙ୍କ ପରିବାର ପକ୍ଷରୁ ଯୁବତୀଙ୍କ ସହିତ କଥାବାର୍ତ୍ତା କରାଯାଇଥିଲା। ପ୍ରିୟଙ୍କା ବିହାରରେ ରହୁଥିବା କହିଥିଲେ। ତାଙ୍କ ମାତାପିତାଙ୍କ ମୃତ୍ୟୁ ପରେ ସେ ମାଉସୀଙ୍କ ପାଖରେ ଦିଲ୍ଲୀରେ ରହି ପାଠ ପଢୁଥିବା କହିଥିଲେ। ଏହା ପରେ ମାଉସୀଙ୍କ ସହିତ କଥାବାର୍ତ୍ତା କରାଯାଇ ବିବାହ ଫାଇନାଲ୍‌ କରାଯାଇଥିଲା। ପ୍ରିୟଙ୍କା ଆଇଏଏସ୍‌ ପାଇଁ ପ୍ରସ୍ତୁତ ହେଉଥିବା କହି ମନୋଜଙ୍କଠାରୁ କେବେ ୧୦ ହଜାର ଅବା କେବେ ୨୦ ହଜାର ପୁଣି କେବେ ୩୦ ହଜାର ଟଙ୍କା ଏଭଳି ଲୁଟିବା ଆରମ୍ଭ କରିଥିଲେ। ଘର ତିଆରି ପାଇଁ ଥିବା ୬ ଲକ୍ଷ ଟଙ୍କା ନେଇ ପ୍ରିୟଙ୍କା ଫେରାର ହୋଇ ଯାଇଥିବା ମନୋଜ କହିଛନ୍ତି। ଶେଷରେ ହାଇଦ୍ରାବାଦ୍‌ ଯିବାକୁ କହି ପ୍ରିୟଙ୍କା ମନୋଜଙ୍କଠାରୁ କିଛି ଟଙ୍କା ନେଇ ପଳାଇ ଥିଲେ। ପ୍ରିୟଙ୍କାଙ୍କର ଆଧାର କାର୍ଡ, ପ୍ୟାନ୍‌ କାର୍ଡ ଏବଂ ଭୋଟର ପରିଚୟ ପତ୍ର ନକଲି ବୋଲି ଜଣାପଡ଼ିଥିଲା। ସେହିପରି ମାଉସୀଙ୍କର ମଧ୍ୟ କୌଣସି ଖୋଜ୍‌ ଖବର ନ ଥିଲା। ଏନେଇ ମନୋଜ ହଜରତଗଞ୍ଜ୍‌ ଷ୍ଟେଶନ୍‌ରେ ଏକ ମାମଲା ରୁଜୁ କରିଛନ୍ତି। ପୋଲିସ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି।

Share