ତାଜ୍‌ରେ ଜିନପିଙ୍ଗ, ITC ର୍ମୌଯ୍ୟରେ ପୁଟିନ: ଗୋଟିଏ ରାତିର ଭଡ଼ା ଜାଣିଲେ ତାଜୁବ ହେବେ…

ନୂଆଦିଲ୍‌ଲୀ,୧୧।୯: ଦିଲ୍ଲୀରେ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ହେବାକୁ ଥିବା ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ରାଜଧାନୀର ଅନେକ ଅଞ୍ଚଳ ଛାଉଣୀରେ ପରିଣତ ହୋଇଛି। ହୋଟେଲ ତାଜ ପ୍ୟାଲେସରୁ ଆରମ୍ଭ କରି ITC ମୌର୍ଯ୍ୟ ପର୍ଯ୍ୟନ୍ତ, ଦିଲ୍ଲୀର ବିଳାସପୂର୍ଣ୍ଣ ହୋଟେଲଗୁଡ଼ିକ ହାଇ-ସିକ୍ୟୁରିଟି କୂଟନୈତିକ ଜୋନରେ ପରିଣତ ହୋଇସାରିଛି। କେତେକ ହୋଟେଲରେ ଗୋଟିଏ ରାତିର ଭଡ଼ା ୨ ଲକ୍ଷ ଟଙ୍କା ଟପିଯାଇଥିବା ବେଳେ ଅନେକ ହୋଟେଲରେ ବୁକିଂ ସମ୍ପୂର୍ଣ୍ଣ ଫୁଲ ହୋଇଯାଇଛି। BRICS ଦେଶଗୁଡ଼ିକର କେବଳ ରାଷ୍ଟ୍ରମୁଖ୍ୟ ନୁହଁନ୍ତି, ବରଂ ସେମାନଙ୍କ ପ୍ରୋଟୋକଲ ଟିମ, ଅଂଶୀଦାର ଦେଶର ଅନ୍ୟ ପ୍ରତିନିଧି ଏବଂ ବରିଷ୍ଠ ଅଧିକାରୀଙ୍କ ପାଇଁ ରାଜଧାନୀର ହୋଟେଲଗୁଡ଼ିକରେ ୩,୦୦୦ରୁ ଅଧିକ ରୁମ ବୁକ କରାଯାଇଛି। BRICS ସମ୍ମିଳନୀ ଯୋଗୁଁ ହିଁ କିଛି ବିଳାସପୂର୍ଣ୍ଣ ହୋଟେଲରେ ଗୋଟିଏ ରାତିର ଭଡ଼ା ୨ ଲକ୍ଷ ଟଙ୍କାରୁ ଅଧିକ ହୋଇଛି।

ଯେଉଁ ହୋଟେଲଗୁଡ଼ିକରେ BRICS ଦେଶର ନେତାମାନେ ରହୁଛନ୍ତି, ସେଠାରେ ଚାହିଦା ଯଥେଷ୍ଟ ବୃଦ୍ଧି ପାଇଛି। ଏପରିକି କିଛି ହୋଟେଲରେ ଏବେ ରୁମ ମଧ୍ୟ ଉପଲବ୍ଧ ନାହିଁ।

NDTV ଅନୁଯାୟୀ, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ITC ମୌର୍ଯ୍ୟରେ ରହୁଛନ୍ତି। ସମ୍ମିଳନୀ ପୂର୍ୱରୁ ଏହି ହୋଟେଲର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଗୋଟିଏ ରାତି ପାଇଁ ରୁମ ଭଡ଼ା ଏବେ ୨ ଲକ୍ଷ ଟଙ୍କାରୁ ଅଧିକ ହୋଇଛି।

BRICS ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ପହଞ୍ଚୁଛନ୍ତି। ସୂଚନା ମୁତାବକ, ସେ ନୂଆଦିଲ୍ଲୀର ତାଜ ପ୍ୟାଲେସରେ ରହିବେ। ବର୍ତ୍ତମାନ ଏହି ହୋଟେଲର ସମସ୍ତ ରୁମ ବୁକିଂ ଫୁଲ ଦେଖାଉଛି।

ରାଜଧାନୀର ଡକ୍ଟର ଜାକିର ହୁସେନ ମାର୍ଗରେ ଅବସ୍ଥିତ ’ଦି ଓବେରୟ’ରେ ଚାରୋଟି BRICS ସଦସ୍ୟ ଦେଶବ୍ରାଜିଲ, କାଜାଖସ୍ତାନ, ଇଥିଓପିଆ ଏବଂ ଇଣ୍ଡୋନେସିଆର ପ୍ରତିନିଧିମଣ୍ଡଳୀ ରହୁଛନ୍ତି। ଏହି ହୋଟେଲରେ ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ମଧ୍ୟ ରହିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓବେରୟ ହୋଟେଲର ଅଫିସିଆଲ ୱେବସାଇଟ୍ରେ ମଧ୍ୟ ସମସ୍ତ ରୁମ ଫୁଲ ଥିବା ଦେଖାଯାଉଛି।

ତାଜ ମହଲ ହୋଟେଲରେ ଅନେକ ବିଦେଶୀ ପ୍ରତିନିଧିମଣ୍ଡଳୀ ଏବଂ ବରିଷ୍ଠ ଅନ୍ତର୍ଜାତୀୟ ଅଧିକାରୀ ରହୁଛନ୍ତି। ଉରୁଗୁଏ, ଫିଲିପାଇନ୍ସ, କ୍ୟୁବା, ବେଲାରୁଷ ଏବଂ ଭିଏତନାମର ପ୍ରତିନିଧିମାନେ ଏଠାରେ ରହୁଛନ୍ତି। ଏହି ହୋଟେଲରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଡିଜି ଏବଂ ବିଶ୍ୱ ବାଣିଜ୍ୟ ସଂଗଠନ (WTO)ର ଡିଜି ମଧ୍ୟ ରହୁଛନ୍ତି। ଏହି ହୋଟେଲର ଅଫିସିଆଲ ୱେବସାଇଟ୍ରେ ମଧ୍ୟ ସମସ୍ତ ରୁମ ବୁକ ହୋଇସାରିଥିବା ଦର୍ଶାଯାଇଛି।

ଲେ ମେରିଡିୟନ ନୂଆଦିଲ୍ଲୀର ଅତିଥି ତାଲିକାରେ BRICS ସରକାର ବ୍ୟତୀତ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତି ମଧ୍ୟ ସାମିଲ ଅଛନ୍ତି। ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ, ଏସିଆନ ଇନଫ୍ରାଷ୍ଟ୍ରକ୍ଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କର ସଭାପତି ଏବଂ ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କର ସଭାପତି ଏହି ହୋଟେଲରେ ରହୁଛନ୍ତି। ୟୁଗାଣ୍ଡା, ନାଇଜେରିଆ ଏବଂ ମାଲେସିଆର ପ୍ରତିନିଧିମଣ୍ଡଳୀ ମଧ୍ୟ ଏଠାରେ ଅବସ୍ଥାନ କରୁଛନ୍ତି।

କନ୍ନଟ ପ୍ଲେସ ନିକଟସ୍ଥ ‘ଦି ଲଳିତ ନୂଆଦିଲ୍ଲୀ’ରେ ଦକ୍ଷିଣ ଆଫ୍ରିକା ଏବଂ ବୁରୁଣ୍ଡିର ପ୍ରତିନିଧିମାନେ ରହୁଛନ୍ତି। ଏହି ହୋଟେଲ ଆଫ୍ରିକୀୟ ସଦସ୍ୟ ରାଷ୍ଟ୍ର ଏବଂ ଆଉଟ୍ରିଚ ପ୍ରତିନିଧିମାନଙ୍କ ଆତିଥ୍ୟ କରୁଛି। ଅନ୍ୟପକ୍ଷରେ ଅଶୋକ ରୋଡରେ ଅବସ୍ଥିତ ’ଶାଙ୍ଗ୍ରି-ଲା ଇରୋସ’ରେ ପଶ୍ଚିମ ଏସିଆର BRICS ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିଙ୍କ ରହିବା ବ୍ୟବସ୍ଥା କରାଯାଇଛି। ଏହାର ରୁମ ଭଡ଼ା ଗୋଟିଏ ରାତି ପାଇଁ ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଥିବା କୁହାଯାଉଛି। ତେବେ ଏଠାରେ ସମସ୍ତ ସୁଇଟ୍ସ ବର୍ତ୍ତମାନ ବୁକ ହୋଇସାରିଛି।

BRICS ସମ୍ମିଳନୀ ପାଇଁ ୧୦ଟି ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କିମ୍ୱା ମନ୍ତ୍ରୀମାନେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହା ବ୍ୟତୀତ କୂଟନୀତିଜ୍ଞ, ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଏବଂ ବ୍ୟବସାୟିକ ନେତୃବୃନ୍ଦ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି। ଏହି କାରଣରୁ ହୋଟେଲଗୁଡ଼ିକର ପ୍ରବଳ ଚାହିଦା ରହିଛି ଏବଂ ଚାହିଦା ତୁଳନାରେ ଉପଲବ୍ଧତା ବହୁତ କମ। ବିଶେଷ କରି ‘ଦି ଓବେରୟ’ ଏବଂ ‘ଦି ତାଜ ମହଲ ହୋଟେଲ’ ଭଳି ସ୍ଥାନରେ ଏହି ସ୍ଥିତି ଦେଖିବାକୁ ମିଳୁଛି। ଏହି ଦୁଇଟି ହୋଟେଲ ବ୍ୟତୀତ ଅନ୍ୟ କେତେକ ହୋଟେଲର ଅଫିସିଆଲ ୱେବସାଇଟ ମଧ୍ୟ ବୁକିଂ ଫୁଲ ଦେଖାଉଛି।

Share
Tags: BRICS Summit