ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ ନେତାମାନେ ଉଦ୍‌ବେଗ ପ୍ରକାଶ କରିବା ସହ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ପାଇଁ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ମିଳିତ ପଦକ୍ଷେପ ଉପରେ ଗୁରୁତ୍ବାରୋପ କରିଛନ୍ତି ।

ବ୍ରିକ୍ସ ଘୋଷଣାନାମାରେ କୁହାଯାଇଛି ଯେ, ମୋଟାପଣ ସହିତ ହୃଦ୍‌ରୋଗ, ମଧୁମେହ, କର୍କଟ ଏବଂ ଅନ୍ୟାନ୍ୟ ଅଣସଂକ୍ରାମକ ରୋଗର ମୁକାବିଲା ପାଇଁ ରୋଗ ପ୍ରତିରୋଧ ଓ ସ୍ବାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା ଦେବା ଆବଶ୍ୟକ । ଏଥିପାଇଁ କେବଳ ଚିକିତ୍ସା ଉପରେ ନିର୍ଭର ନକରି ଲୋକଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ବ ଦିଆଯାଇଛି। ବ୍ରିକ୍ସ ନେତାମାନେ ସୁସ୍ଥ ଜୀବନଶୈଳୀ ଆପଣାଇବା ପାଇଁ ଏକ ମିଳିତ ଅଭିଯାନକୁ ସମର୍ଥନ କରିଛନ୍ତି । ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ, ଶାରୀରିକ ସକ୍ରିୟତା ଏବଂ ସ୍ବାସ୍ଥ୍ୟକର ଦୈନନ୍ଦିନ ଅଭ୍ୟାସ ମାଧ୍ୟମରେ ମୋଟାପଣ ଓ ଏନ୍‌ସିଡିର ଆଶଙ୍କା କମାଇବା ଦିଗରେ ସଚେତନତା ବଢ଼ାଇବା ଉପରେ ଜୋର ଦିଆଯାଇଛି। ଏହାସହ ରୋଗ ଚିହ୍ନଟ ହେବା ପରେ ଚିକିତ୍ସା କରିବା ଅପେକ୍ଷା ରୋଗ ଯେପରି ନହୁଏ, ସେଥିପାଇଁ ପ୍ରତିଷେଧକ ବ୍ୟବସ୍ଥାକୁ ଅଧିକ ମଜବୁତ କରିବାକୁ ନେତାମାନେ ଆହ୍ବାନ ଦେଇଛନ୍ତି।

ବ୍ରିକ୍ସ ଦେଶଗୁଡ଼ିକ ମାନସିକ ସ୍ବାସ୍ଥ୍ୟକୁ ମଧ୍ୟ ସ୍ବାସ୍ଥ୍ୟସେବାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଭାବେ ଦେଖିବାକୁ ଆହ୍ବାନ ଦେଇଛନ୍ତି। ମାନସିକ ସୁସ୍ଥତା ଉପରେ ଅଧିକ ଧ୍ୟାନ ଦେବା ସହ ଏ କ୍ଷେତ୍ରରେ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ବଢ଼ାଇବାର ଆବଶ୍ୟକତା ଦର୍ଶାଯାଇଛି। ପାରମ୍ପରିକ ଚିକିତ୍ସା ପଦ୍ଧତିର ବିକାଶ ଓ ବ୍ୟବହାର କ୍ଷେତ୍ରରେ ମଧ୍ୟ ପରସ୍ପର ସହଯୋଗ ବଢ଼ାଇବାକୁ ବ୍ରିକ୍ସ ନେତାମାନେ ଆହ୍ବାନ ଦେଇଛନ୍ତି। ସଦସ୍ୟ ଦେଶଗୁଡ଼ିକ ନିଜ ନିଜ ପାରମ୍ପରିକ ଚିକିତ୍ସା ଜ୍ଞାନ ଓ ଅଭିଜ୍ଞତାକୁ ପରସ୍ପର ସହ ବାଣ୍ଟିବା ଉପରେ ଗୁରୁତ୍ବ ଦେଇଛନ୍ତି ।

ସୁସ୍ଥ ଜୀବନଶୈଳୀକୁ ନେଇ ବ୍ରିକ୍ସ ଅଭିଯାନ ଆରମ୍ଭ କରିବା ସହ ‘ସ୍ବାସ୍ଥ୍ୟକର ଜୀବନଶୈଳୀ ପ୍ରୋତ୍ସାହନ ଉପରେ ବ୍ରିକ୍ସ ରୋଡ୍‌ମ୍ୟାପ୍‌ (୨୦୨୬-୨୦୨୯)’ ଆରମ୍ଭ କରିବା ପ୍ରସ୍ତାବକୁ ନେତାମାନେ ସମର୍ଥନ କରିଛନ୍ତି । ଏହି ରୋଡ୍‌ମ୍ୟାପ୍‌ ମାଧ୍ୟମରେ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ବାସ୍ଥ୍ୟ ସଚେତନତା, ରୋଗ ପ୍ରତିରୋଧ ଏବଂ ସୁସ୍ଥ ଜୀବନଶୈଳୀକୁ ନେଇ ମିଳିତ ପଦକ୍ଷେପ ଗ୍ରହଣର ରାସ୍ତା ସୁଗମ ହେବ। ଏନ୍‌ସିଡି ଓ ମୋଟାପଣ ଭଳି ସମସ୍ୟାର ସମାଧାନ କେବଳ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ବ ନୁହେଁ ବୋଲି ବ୍ରିକ୍ସ ନେତାମାନେ ମତ ଦେଇଛନ୍ତି। ‘ସମଗ୍ର ସରକାର ଏବଂ ସମଗ୍ର ସମାଜ’ ଆଭିମୁଖ୍ୟ ମାଧ୍ୟମରେ ପ୍ରତିଷେଧକ ଓ ସ୍ବାସ୍ଥ୍ୟବର୍ଦ୍ଧକ ସ୍ବାସ୍ଥ୍ୟସେବାକୁ ସୁଦୃଢ଼ କରିବା ଉପରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ନିଜ ପ୍ରତିବଦ୍ଧତା ଦୋହରାଇଛନ୍ତି।

ବ୍ରିକ୍ସର ଏହି ପଦକ୍ଷେପ ମାଧ୍ୟମରେ ଲୋକଙ୍କ ଜୀବନଶୈଳୀରେ ସୁଧାର ଆଣିବା ସହ ଭବିଷ୍ୟତରେ ମୋଟାପଣ ଓ ଅଣସଂକ୍ରାମକ ରୋଗର ବୋଝ କମାଇବା ଲକ୍ଷ୍ୟ ରହିଛି ।

 

Dharitri – Odisha’s No.1 Odia Daily

Share