କାର୍ଯ୍ୟକାରୀ ହେଉନି ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା: ଶିଶୁ ମୁଣ୍ଡରେ ଇଟାବୋଝ

ମହାକାଳପଡା,୧୮ା୧୨(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁମାନଙ୍କ ପ୍ରତିଭା ବିକାଶ କରିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସମାଜରେ ନିଜର ସ୍ବାର୍ଥ ସାଧନ ପାଇଁ ଶିଶୁମାନଙ୍କୁ ଘରୋଇ, ନିର୍ମାଣ କାମ, ହୋଟେଲ ଓ ଅନ୍ୟ କାର୍ଯ୍ୟରେ ସ୍ବଳ୍ପ ମୂଲ୍ୟ ବିନିମୟରେ ବିଭିନ୍ନ କଠିନ କାମରେ ନିୟୋଜନ କରାଯାଏ। ଏହି ଶିଶୁ ଶ୍ରମିକ ପ୍ରଥା ଏକ ଧର୍ତ୍ତବ୍ୟ ଅପରାଧ ବୋଲି ସୁପ୍ରିମକୋର୍ଟଙ୍କ ସ୍ବତନ୍ତ୍ର ନିର୍ଦ୍ଦେଶନାମା ରହିଛି। ଏହାକୁ କଡ଼ାକଡ଼ି ପାଳନ ପାଇଁ ଉଭୟ ସରକାରଙ୍କୁ କୁହାଯାଇଛି। ଏହାସତ୍ତ୍ୱେ ଏହି ଶିଶୁ ଶ୍ରମିକ ପ୍ରଥାକୁ ଅନେକ ସମୟରେ ଘରୋଇ ମାଲିକ, ଠିକାଦାରମାନଙ୍କ ପାଖରେ ଶୋଷଣର ଶିକାର ହେଉଛନ୍ତି। ଖେଳି ବୁଲି ମଜା ଉଠାଇବା ସମୟରେ ଶିଶୁମାନଙ୍କୁ କାମ କରିବାକୁ ପଡୁଛି। ଏଭଳି ଦୃଶ୍ୟ ଦେଖବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ। ବିଦ୍ୟାଳୟ ବନ୍ଦ ଓ ପରିବାରର ଦାରିଦ୍ର୍ୟ ଯୋଗୁ କେତେଜଣ ଶିଶୁ ଘରୋଇ ମାଲିକଙ୍କ ନିର୍ମାଣ କାମରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି। ବ୍ଲକର ରାମନଗର, ପେଟ୍‌ଛେଲା ଅଞ୍ଚଳରେ କେତେକ ଜନଜାତି ପରିବାରର ଶିଶୁଙ୍କୁ ପାଠ ଛାଡ଼ି ମୁଣ୍ଡରେ ଇଟାବୋଝ ଉଠାଇବାକୁ ପଡୁଛି। ଏଭଳି କରୁଣ ଚିତ୍ରକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି। କିପରି ସମାଜରେ ଏହି ଶିଶୁ ଶ୍ରମିକ ପ୍ରଥା ଲୋପ ପାଇବ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଓ ଜିଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।