ପରିବେଶକୁ ପ୍ରଦୂଷିତ କରୁଛି ଇଟାଭାଟି ଧୂଆଁ

ପଟ୍ଟାମୁଣ୍ଡାଇ,୨୧ା୧୨(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଇଟା ବ୍ୟବସାୟ ଚାଲିଛି। ଏପରିକି ସହରର ବିଭିନ୍ନ ଅଞ୍ଚଳରେ ଶତାଧିକ ଭାଟିରେ ଇଟା ପୋଡା ଯାଉଥିବା ଅଭିଯୋଗ ହେଉଛି। ଇଟାଭାଟିରୁ ନିର୍ଗତ ଧୂଅଁାରେ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଶ୍ୱାସ ଓ ହୃଦ୍‌ରୋଗୀମାନଙ୍କ ପାଇଁ ଏହା ଘାତକ ସାବ୍ୟସ୍ତ ହେଉଛି। ସେମାନେ ନିଃଶ୍ୱାସ ଓ ପ୍ରଶ୍ୱାସରେ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଗଛଗୁଡିକର ପତ୍ର ଉପରେ କୋଇଲା ପାଉଁଶର ଆସ୍ତରଣ ଲାଗି ଧଳା ଦେଖା ଦେଉଛି। ଧୂଅଁା ପ୍ରଭାବରେ କେତେକ ଗଛର ପତ୍ର ଶୁଖି ଛଡିପଡୁଛି। ପ୍ରଶାସନର ଜ୍ଞାତସାରରେ ଏହି ସବୁ ଇଟା ବ୍ୟବସାୟ ଚାଲୁଥିବା ଅଭିଯୋଗ ହେଉଛି। ନାମକୁ ମାତ୍ର ଫାଇନ ଆଦାୟ କରାଯାଇ ଭାଟି ମାଲିକମାନଙ୍କୁ ଛାଡ଼ି ଦିଆଯାଉଛି। ଫଳରେ ପୁଣି ସେମାନେ ଇଟା ପକାଇ ପୋଡ଼ିବା ସହ ବ୍ୟବସାୟ କରି ଲାଭବାନ୍‌ ହେଉଛନ୍ତି।
ପଟ୍ଟାମୁଣ୍ଡାଇ ମାଟିଆପାଳରେ ଇଟା ବ୍ୟବସାୟ ବହୁ ପରିମାଣରେ ଚାଲିଥିବା ପରିଲକ୍ଷିତ ହେଉଛି। ଏପରିକି ପୋତା ଗୋବରୀ ନଦୀ ଶଯ୍ୟାରେ ଇଟାଭାଟି ରାତିଦିନ ଜଳୁଥିବା ଦେଖିବାକୁ ମିଳୁଛି। ଇଟାଭାଟି ମାଲିକମାନେ ପୋତା ଗୋବରୀ ନଦୀ ଶଯ୍ୟାରୁ ମାଟି ଖୋଳି ନେଇ ଇଟା ତିଆରି କରୁଛନ୍ତି। ଏଥିପ୍ରତି ଜଳ ସମ୍ପଦ ବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ସରକାରୀ ଜାଗାରୁ ବେଆଇନ ଭାବେ ଇଟା ବ୍ୟବସାୟୀମାନେ ଜେସିବି ମାଧ୍ୟମରେ ମାଟି ଖୋଳି ନେଉଛନ୍ତି। ସରକାରୀ ଜାଗାରେ ଇଟାଭାଟି କରି ପୋଡୁଛନ୍ତି। ଗ୍ରୀନ୍‌ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ଗୃହ ଓ ଅନ୍ୟାନ୍ୟ ନିର୍ମାଣ କାମରେ ସରକାର ଆଶ୍‌ ଓ ସିମେଣ୍ଟ ଇଟା ବ୍ୟବାହର କରିବାକୁ ନିର୍ଦ୍ଦେଶନାମା ଜାରି କରିଥିବାବେଳେ ନାଲି ଇଟା ବ୍ୟବହାର ଉପରେ କଟକଣା ଲଗାଇଛନ୍ତି। ହେଲେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏହି ନିୟମ କାର୍ଯ୍ୟକାରୀ ହେଉନାହିଁ। ଅନ୍ୟପକ୍ଷରେ ଗତ ଏପ୍ରିଲରେ ବଡ଼ମୋହନପୁର ପଞ୍ଚାୟତର କଣିପାଳ ଗଁାରେ ଇଟାଭାଟି ନିର୍ମାଣକୁ ନେଇ ପଟ୍ଟାମୁଣ୍ଡାଇ ତହସିଲରେ ତୁମୁଳକାଣ୍ଡ ଘଟିଥିଲା। ୨ ଜଣ ବ୍ୟକ୍ତି ତହସିଲଦାରଙ୍କ ସହ ଧସ୍ତାଧସ୍ତି କରିଥିବା ଅଭିଯୋଗରେ ଜେଲ ମଧ୍ୟ ଯାଇଥିଲେ। ମାତ୍ର ପୁଣି ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଇଟାଭାଟି ଗଢ଼ି ଉଠୁଛି ଯାହାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି। ତହସିଲ ଅଞ୍ଚଳର ମାଟିଆପାଳ, ଅଠରବାଟିଆ, ତାତନା, ତନୁପୁର, ଅଳଭା, ନିମପୁର, କଷଣଅଣ୍ଟା, ଆମ୍ବେର, କଖାରୁଣୀ, ଖଡ଼ଇଣ୍ଟା ଆଦି ବିଭିନ୍ନ ଅଞ୍ଚଳରେ ବ୍ୟାପକ ଭାବେ ନାଲିଇଟା ପୋଡ଼ାଯାଇ ବ୍ୟବସାୟ କରାଯାଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ପ୍ରଶାସନ ବେଆଇନ ଭାବେ ନିର୍ମାଣ କରାଯାଉଥିବା ନାଲିଇଟା ବ୍ୟବସାୟ ଓ ପରିବେଶ ପ୍ରଦୂଷିତ କରୁଥିବା ବ୍ୟବସାୟୀମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରୁ ନାଲିଇଟା ପୋଡ଼ିବା ବେଆଇନ, ଇଟାଭାଟି କରୁଥିବା ବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।