ଲାଞ୍ଚ ଓ କର୍ତ୍ତବ୍ୟରେ ଅବହେଳା: ପୋଲିସ ଏସ୍‌ଆଇ ନିଲମ୍ବିତ, ଏଏସ୍‌ଆଇ ଗିରଫ

ପୁରୀ ଅଫିସ,୧୮।୧: ଲାଞ୍ଚ ନେବା ଓ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିବା ପୁରୀ ଜିଲା ପୋଲିସର ୨ଜଣ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏ ସଂକ୍ରାନ୍ତରେ ରବିବାର ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି।
ଏସ୍‌ପି କହିଛନ୍ତି ଯେ, ଜଣେ ଫୁଡ୍‌ ଭେଣ୍ଡରଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ କୃଷ୍ଣପ୍ରସାଦ ଥାନା ଏଏସ୍‌ଆଇ ଈଶ୍ୱର ଚନ୍ଦ୍ର ଗୁମାନସିଂଙ୍କୁ ଗିରଫ କରାଯାଇଛି। ସେହିପରି ପୁରୀ ସଦର ଥାନାର ଏସ୍‌ଆଇ ଅତସୀ ଜେନାଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କରାଯାଇଛି। ପୁରୀ ସଦର ଥାନାର ମହିଳା ଏସ୍‌ଆଇ ଜେନା ଆଇଆଇସିଙ୍କ ବିନା ଜ୍ଞାତସାରରେ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ୧୪ ହଜାର ଟଙ୍କା ଓ ୩ଟି ମୋବାଇଲ ଜବତ ହୋଇଥିଲା। ତେବେ ଜବତ ଟଙ୍କା ଓ ମୋବାଇଲ ସମ୍ପର୍କରେ ଏସ୍‌ଆଇ ଜେନା ଆଇଆଇସି କିମ୍ବା ଥାନାର କୌଣସି କର୍ମଚାରୀଙ୍କୁ ଜଣାଇ ନ ଥିଲେ। ସମ୍ପୃକ୍ତ ଦୁଇ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ସାମ୍ନାକୁ ଆସିବା ପରେ ସଦର ଏସ୍‌ଡିପିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ତଦନ୍ତ ରିପୋର୍ଟ ମିଳିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।