ଘର ତାଲା ଭାଙ୍ଗି ନେଇ ୫ ଭରିରୁ ଊର୍ଦ୍ଧ୍ୱ ସୁନା ଅଳଙ୍କାର

ପାରଳାଖେମୁଣ୍ଡି,୩ା୩(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରର ଚନ୍ଦ୍ରଶେଖର ପଣ୍ଡା ସାହି କୃଷ୍ଣଚନ୍ଦ୍ର ଗନ୍ତାୟତଙ୍କ ଘର ତାଲା ଭାଙ୍ଗି ସୁନା ରୁପା, ଟିଭି ଚୋରି ହୋଇଥିବା ଶୁକ୍ରବାର ଅଭିଯୋଗ କରିଛନ୍ତି। ଗନ୍ତାୟତ ପୁଅ ପାଖକୁ ବେଙ୍ଗାଲୁରୁ ଯାଇଥିବା ବେଳେ ତାଙ୍କ ଝିଅ ଘରକୁ ଆସି ଚାବି ଖୋଲିବା ସମୟରେ ଭିତର ପଟୁ ଗେଟ୍‌ ବନ୍ଦ ଥିବା ଦେଖି ପାଖରେ ଥିବା ଲୋକଙ୍କୁ କହିଥିଲେ। ସେଠାର ଲୋକମାନେ କାନ୍ଥ ଡେଇଁ ଘର ଭିତରକୁ ଯାଇ ଦେଖିବା ବେଳେ ଘରେ ଚୋରି ହୋଇଥିବା ଜଣାପଡିଛି। ୫ ଭରିରୁ ଊର୍ଦ୍ଧ୍ୱ ସୁନା ଅଳଙ୍କାର, ରୁପା ମୂର୍ତ୍ତି, ଟିଭି, ନଗଦ ଟଙ୍କା ସହ ବହୁ ଆସବାବପତ୍ର ଚୋରି ହୋଇଛି। ସ୍ଥାନୀୟ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ସେଭଳି କିଛି ସୁରାକ ମିଳିନାହିଁ। ପାରଳାଖେମୁଣ୍ଡି ସହର ଏବଂ କାଶୀନଗର ସହରରେ ଏପରି ଚୋରି ସଂଖ୍ୟା ବୃଦ୍ଧି ପାଉଥିବାରୁ ପୋଲିସର ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ କୁହାଯାଇଛି।