ଛିଣ୍ଡିଯାଉଛି ଜୀବନ ଡୋର: ମିଳୁନି ଅକ୍ସିଜେନ୍‌ …

ନୂଆଦିଲ୍ଲୀ,୨୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏପରିସ୍ଥଳେ ଦେଶରେ ଦେଖାଦେଇଥିବା ଅକ୍ସିଜେନ ଅଭାବ ଯୋଗୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ଦେଶବ୍ୟାପୀ ହାହାକାର ସୃଷ୍ଟି କରିଛି। ରାଜଧାନୀ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ ଯୋଗୁ ହଜାରେ ପାଖାପାଖି ରୋଗୀଙ୍କ ଜୀବନ ଖଣ୍ଡାଧାରରେ ଲଟକି ରହିଛି। ଅକ୍ସିଜେନ୍‌ ଅଭାବରୁ ଜୀବନ ଦୀପ ଲିଭିବାରେ ଲାଗିଛି। ଦିଲ୍ଲୀର ଜୟପୁର ଗୋଲ୍ଡେନ ହସ୍ପିଟାଲରେ ୨୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୦ ଜଣ ରୋଗୀ ସଙ୍କଟରେ ରହିଛନ୍ତି। ସେହିପରି ମହାରାଜ ଉଗ୍ରସେନ ହସ୍ପିଟାଲରେ ୩୦୬ ରୋଗୀ, ବତ୍ରା ହସ୍ପିଟାଲରେ ୩୫୦ ଜଣ ରୋଗୀଙ୍କ ଜୀବନ ପ୍ରତି ସଙ୍କଟ ଦେଖାଦେଇଛି। ସେହିପରି ଫୋର୍ଟିସ୍‌ ହସ୍ପିଟାଲରେ ମଧ୍ୟ ଅକ୍ସିଜେନ୍‌ ଅଭାବ ଦେଖାଦେଇଛି। ଧର୍ମବୀର ସୋଲାଙ୍କି ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ ମଧ୍ୟ ଜାରି ରହିଛି। ଏହାଯୋଗୁ ଜୀବନ ଡୋର ଛିଣ୍ଡିବାରେ ଲାଗିଥିବାବେଳେ ଆଧୁନିକ ଚିକିତ୍ସା ପ୍ରଣାଳୀ କେବଳ ମୁକ ସାକ୍ଷୀ ପାଲଟି ରହି ଯାଉଛି।

Share