ଡିଭାଇଡର ଭାଙ୍ଗି ପେଟ୍ରୋଲ ପମ୍ପକୁ ରାସ୍ତା

କେନ୍ଦୁଝର,୨୭ା୧୨(ସ୍ବ.ପ୍ର.):କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍‌ ଅନ୍ତର୍ଗତ ପିପିଳିଆ ନିକଟରେ ଏନ୍‌ଏଚ୍‌ ୨୦ କଡ଼ରେ ଥିବା ଏକ ପେଟ୍ରୋଲ ପମ୍ପକୁ ଗାଡ଼ି ଚଳାଚଳ ପାଇଁ ଜାତୀୟ ରାଜପର ୨୦ର ମେଡିଆନ (ଡିଭାଇଡର)କୁ ଭାଙ୍ଗି ଦିଆଯାଇଛି। ଏହା ଦ୍ୱାରା ଜାତୀୟ ରାଜପଥର ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବା ବେଳେ ଦୁର୍ଘଟଣା ଘଟିବା ସମ୍ଭାବନା ଦେଖାଦେଇଛି। ଜାତୀୟ ରାଜପଥ ପ୍ରାଧିକରଣର ବିନା ଅନୁମତିରେ ଓ ବେଆଇନ ଭାବରେ ଏଭଳି ମେଡିଆନ ଭଙ୍ଗା ଯିବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ରାସ୍ତା ଭାଙ୍ଗି ଜାତୀୟ ସମ୍ପତ୍ତି ନଷ୍ଟ କରାଯାଇଥିବାରୁ ଫୌଜଦାରୀ ମାମଲା ରୁଜୁ କରିବା ସହ ଜରିମାନା ଆଦାୟ କରିବାକୁ ଦାବି ହେଉଛି।
ପ୍ରକାଶ ଯେ, ଅସମ୍ପୂର୍ଣ୍ଣ ଓ ତ୍ରୁଟିପୂର୍ଣ୍ଣ ଏନ୍‌ଏଚ ୨୦ ଯୋଗୁ ଦୈନିକ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି। ଏଭଳି ପରିସ୍ଥିତିରେ ବିନା ଜାତୀୟ ରାଜପଥ ପ୍ରାଧିକରଣ ଅନୁମୋତିରେ ପାଖାପାଖି ୧୦୦ ମିଟର ଡିଭାଇଡରକୁ ଭଙ୍ଗାଯାଇଛି। ଘଟଣା ରାସ୍ତାରେ ଯାତାୟାତ କରୁଥିବା ଏନ୍‌ଏଚ୍‌ଏଆଇର ପାଟ୍ରୋଲିଂ ଗାଡ଼ି ଜାଣି ମଧ୍ୟ ଚୁପ ରହିବା ସନ୍ଦେହକୁ ଅଧିକ ଘନିଭୂତ କରୁଛି। ଅନ୍ୟପକ୍ଷେ ଉକ୍ତ ସ୍ଥାନ ନିକଟରେ ହାତୀମାନଙ୍କର ଏକ ଚଲାପଥ ରହିଥିବାରୁ ବନ ବିଭାଗ ପକ୍ଷରୁ ସତର୍କ ଫଳକ ଲଗାଯାଇଛି। ଏହା ସତ୍ୱେ ଉକ୍ତ ପମ୍ପକୁ ଅନୁମତି ଦିଆଯାଇଥିବାରୁ ପୂର୍ବରୁ ମଧ୍ୟ ବିବାଦ ଦେଖାଦେଇଥିଲା। ଏବେ ଏଭଳି ଡିଭାଇଡର ଭଙ୍ଗାଯାଇ ଗୋଟିଏ ପାର୍ଶ୍ୱରୁ ଗାଡ଼ି ଅନ୍ୟ ପାର୍ଶ୍ୱକୁ ଯିବା ପାଇଁ ରାସ୍ତା ନିର୍ମାଣ କରାଯାଉଛି। ଫଳରେ ଉଭୟ ଗାଡ଼ି, ହାତୀ ଓ ଅନ୍ୟ ବନ୍ୟପ୍ରାଣୀଙ୍କ ପ୍ରତୀ ବିପଦ ସମ୍ଭାବନାଥିବା ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି। ଏଭଳି ଘଟିଲେ ଉଭୟ ପମ୍ପ ମାଲିକ ଏବଂ ଜାତୀୟ ରାଜପଥ ପ୍ରାଧିକରଣ ଦାୟୀ ରହିବେ ବୋଲି ମାଝୀ କହିଥିଲେ। ଏ ନେଇ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ଏଏସ ରାଓ କହିଛନ୍ତି, ଡିଭାଇଡର ଭାଙ୍ଗିବା ପାଇଁ ଅନୁମତି ଦିଆଯାଇ ନାହିଁ। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।