ନୂଆ ମୋଡ଼ରେ ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନ,ବୋଲସୋନାରୋ-ଲୁଲାଙ୍କ ମଧ୍ୟରେ ବିତର୍କ…

ବ୍ରାସିଲିଆ,୧୭।୧୦ : ବ୍ରାଜିଲରେ ରାଷ୍ଟ୍ରପତି ନିର୍ବାଚନ ନୂଆ ମୋଡ଼ରେ ପହଞ୍ଚିଛି। ନିର୍ବାଚନ ପ୍ରଚାର ଚାଲିଥିବାରୁ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ବିତର୍କ ମଧ୍ୟ ତୀବ୍ର ହେବାରେ ଲାଗିଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ପ୍ରଥମ ବିତର୍କ ସମୟରେ ଉଭୟ ପ୍ରାର୍ଥୀ ପରସ୍ପର ବିରୋଧରେ ତୀବ୍ର ଅଭିଯୋଗ ଆଣିଥିଲେ।

ଏହି ନିର୍ବାଚନରେ ବାମପନ୍ଥୀ ନେତା ତଥା ପୂର୍ବତନ ରାଷ୍ଟ୍ରପତି ଲୁଲା ଡା ସିଲଭା ବର୍ତ୍ତମାନର ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଥମ ପର୍ଯ୍ୟାୟ ପ୍ରଚାର ସମୟରେ ଲୁଲା ଡା ସିଲଭା ୪୮ ପ୍ରତିଶତ ଭୋଟ ପାଇଥିଲେ। ଅପରପକ୍ଷରେ ବୋଲସୋନାରୋ ୪୩ ପ୍ରତିଶତ ପାଇଥିଲେ।

ନିର୍ବାଚନ ପ୍ରଚାର ସମୟରେ ଲୁଲା କରୋନା ସମୟରେ ହୋଇଥିବା ମୃତ୍ୟୁ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ବ୍ରାଜିଲରେ ଏହି ମହାମାରୀରେ ୬୮୦,୦୦୦ଲୋକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକଙ୍କର ଜୀବନ ରକ୍ଷା କରାଯାଇ ପାରିଥାନ୍ତା। ସେ ବୋଲସୋନାରୋ ସରକାରଙ୍କୁ କୋଭିଡ ଟିକା କିଣିବାରେ ବିଳମ୍ବ କରିବା ଏବଂ ଅପ୍ରମାଣିତ ଚିକିତ୍ସାକୁ ପ୍ରାଧାନ୍ୟ ଦେଇଥିବା ଅଭିଯୋଗ କରିଛନ୍ତି।

ଏଥି ସହିତ, ବୋଲସୋନାରୋ ମଧ୍ୟ ଲୁଲାଙ୍କ ବିରୁଦ୍ଧରେ ଅତ୍ୟନ୍ତ ଆକ୍ରମଣାତ୍ମକ ପ୍ରଚାର କରୁଥିବାର ଦେଖାଯାଉଛି। ୧୪ ବର୍ଷର ଶାସନ କାଳରେ ଲୁଲାଙ୍କ ଦଳ ଦେଶକୁ ଦୁର୍ନୀତିରେ ପକାଇ ଦେଇଛି। ଗୋଟିଏ ମାମଲାରେ ଲୁଲାଙ୍କ ସମେତ ୧୨ରୁ ଅଧିକ ବ୍ୟବସାୟିକ ନେତାଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି। ସେମାନଙ୍କୁ ଲାଞ୍ଚ ନେଇ ଥିବା ଅଭିଯୋଗରେ ଜେଲ ଯିବାକୁ ପଡିଥିଲା ବୋଲି ବୋଲସୋନାରୋ କହିଛନ୍ତି।

Share