ବ୍ରାଜିଲ ସଂସଦ ମାମଲା: ମୋଦି ଚିନ୍ତାବ୍ୟକ୍ତ କଲେ, ବାଇଡେନ କହିଲେ ଅପମାନଜନକ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୯।୧ : ବ୍ରାଜିଲ ସଂସଦ, ରାଷ୍ଟ୍ରପତି ଭବନ ଏବଂ ସୁପ୍ରିମକୋର୍ଟରେ ପୂର୍ବତନ ରାଷ୍ଟ୍ରପତି ବୋଲସନାରୋ ସମର୍ଥକଙ୍କ ଦ୍ୱାରା ହୋଇଥିବା ଦୁର୍ନୀତି ଏବଂ ଭଙ୍ଗାରୁଜା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଉଦବେଗ ପ୍ରକାଶ କରିବା ସହିତ ଚିନ୍ତାବ୍ୟକ୍ତ କରିଛନ୍ତି।

ବ୍ରାଜିଲର ସରକାରୀ ଅନୁଷ୍ଠାନ ବିରୋଧରେ ଦଙ୍ଗା ଏବଂ ଭଙ୍ଗାରୁଜା ଖବର ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସମସ୍ତେ ଗଣତାନ୍ତ୍ରିକ ପରମ୍ପରାକୁ ସମ୍ମାନ ଦେବା ଉଚିତ। ବ୍ରାଜିଲ କର୍ତ୍ତୃପକ୍ଷଙ୍କୁ ଆମେ ଆମର ସମ୍ପୂର୍ଣ୍ଣ ସମର୍ଥନ ପ୍ରଦାନ କରୁଛୁ ।

ବ୍ରାଜିଲ ଘଟଣାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ଦକ୍ଷିଣପନ୍ଥୀ ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ସମର୍ଥକମାନେ ଦେଶର ସଂସଦ, ରାଷ୍ଟ୍ରପତି ଭବନ ଏବଂ ସୁପ୍ରିମକୋର୍ଟ ଉପରେ ଆକ୍ରମଣ କରିବା ପରେ ବ୍ରାଜିଲରେ ପରିସ୍ଥିତି ଅତ୍ୟନ୍ତ ଅପମାନଜନକ ଥିଲା ବୋଲି ସେ କହିଛନ୍ତି। ଏଥିସହ ଆମେରିକାର ରାଷ୍ଟ୍ରପତିଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ କହିଛନ୍ତି ଯେ ବ୍ରାଜିଲରେ ଗଣତନ୍ତ୍ରକୁ କ୍ଷୁର୍ଣ୍ଣ କରିବାକୁ ଯେକୌଣସି ପ୍ରୟାସକୁ ଆମେରିକା ନିନ୍ଦା କରୁଛି ବୋଲି କହିଛନ୍ତି। ରାଷ୍ଟ୍ରପତି ବାଇଡେନ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ବ୍ରାଜିଲର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକ ପାଇଁ ଆମର ସମର୍ଥନ ନିରନ୍ତର ରହିଥିବା ସେ କହିଛନ୍ତି।

Share