ବ୍ରଜରାଜନଗର ଉପନିର୍ବାଚନ: ଆଶାୟୀଙ୍କ ମଧ୍ୟରେ ରହିଛି ନୂଆମୁହଁ

ଝାରସୁଗୁଡ଼ା ଅଫିସ,୬ା୫: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ଦେଖାଦେଇଛି। ଅନ୍ୟପକ୍ଷେ ଦଳୀୟ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଶାୟୀ ବାୟୋଡାଟା ସହ ଦଳୀୟ ନେତାମାନଙ୍କୁ ଧରି ଲବି ଆରମ୍ଭ କରିଦେଇଛନ୍ତି। ଏଥିମଧ୍ୟରେ ବହୁ ନୂଆମୁହଁ ରହିଛନ୍ତି। ସମର୍ଥକମାନେ ଦଳୀୟ ନେତାଙ୍କ ନିକଟରେ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ନାମ ସୁପାରିସ କରିବାରେ ଲାଗିପଡିଛିନ୍ତି। ଏପରି କି ଆଶାୟୀ ପ୍ରାର୍ଥୀମାନେ ସାମାଜିକ ଗଣମାଧ୍ୟମରେ ପ୍ରଚାର କରି ଭୋଟରଙ୍କ ନିକଟରେ ନିଜ ପରିଚୟ ସୃଷ୍ଟି କରିବା ପାଇଁ ପ୍ରୟାସ ଚଳାଇଛନ୍ତି।

ଏହି ଉପନିର୍ବାଚନ ମଇଦାନରେ ୪ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା, କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ରହିଛନ୍ତି। ଗତ ନିର୍ବାଚନରେ ବିଜେଡି ଟିକେଟରେ ବିଧାୟକ କିଶୋର ମହାନ୍ତି ବିଜୟୀ ହୋଇଥିଲେ। ତାଙ୍କ ଦେହାନ୍ତ ପରେ ବିଜେଡି ପରମ୍ପରା ଅନୁଯାୟୀ ଉପନିର୍ବାଚନରେ ସ୍ବର୍ଗତ ମହାନ୍ତିିଙ୍କ ସ୍ତ୍ରୀଙ୍କୁ ଟିକେଟ ଦେବା ନିୟମ ରହିଥିବା ବେଳେ ଏବେ ଦଳରେ ବହୁ ଆଶାୟୀ ପ୍ରାର୍ଥୀଙ୍କ ନାମ ଚର୍ଚ୍ଚାକୁ ଆସୁଛି। ଏଥିମଧ୍ୟରେ ସ୍ବର୍ଗତ ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଝିଅ ଦୀପାଳି ଦାସ, ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କ ବୋହୂ ତଥା ସାମାଜିକ କର୍ମୀ ଅନନ୍ୟା ପଟେଲ ଓ ବିଜେଡି ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ପ୍ରମୁଖ ରହିଛନ୍ତି। ଏପରିସ୍ଥଳେ ଦଳର ମୁଖ୍ୟ ଯେଉଁ ନିଷ୍ପତ୍ତି ନେବେ ତାକୁ ସମସ୍ତେ ଗ୍ରହଣ କରିବେ ବୋଲି ଦଳର ସାଙ୍ଗଠନିକ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି।

ସେହିପରି ଭାଜପା ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ଭାଜପା ପୂର୍ବତନ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ସୁଜିତ ସିଂହ, ଜିଲା ସଭାପତି ମଙ୍ଗଳ ସାହୁ, ଏମ୍‌ପି ପ୍ରତିନିଧି ରଘୁନନ୍ଦନ ପଣ୍ଡା, ପୂର୍ବତନ ଜିଲାପରିଷଦ ସଦସ୍ୟ ସାମଲ ନାଏକ ଓ ଲଖନପୁର ସରପଞ୍ଚ ଆରତୀ ପ୍ରଧାନ ପ୍ରମୁଖ ରହିଛନ୍ତି। କଂଗ୍ରେସ ଦଳରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ବାଚସ୍ପତି କିଶୋର ପଟେଲ, ଜିଲା ସାଧାରଣ ସମ୍ପାଦକ ଜୀବନ ସାର୍ଥକ ଦାସ, ପୂର୍ବତନ ବ୍ରଜରାଜନଗର ଟାଉନ ସଭାପତି ପ୍ରମୋଦ ପଣ୍ଡା ଓ ଜିଲା ଓବିସି ସେଲ୍‌ ଅଧ୍ୟକ୍ଷ ସୁବ୍ରତ ପ୍ରଧାନ ପ୍ରମୁଖ ରହିଛନ୍ତି। କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ଏକମାତ୍ର ପ୍ରାର୍ଥୀ ରମେଶ ତ୍ରିପାଠୀ ରିଟର୍ନିଂ ଅଫିସରଙ୍କ ନିକଟରୁ ନାମାଙ୍କନ ଫର୍ମ ସଂଗ୍ରହ କରିଥିବା ଜଣାପଡିଛି। ଉପନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟି କୌଣସି ଦଳ ସହିତ ବୁଝାମଣା ନ କରି ଏକାକୀ ନିର୍ବାଚନ ଲଢି ଅଧିକ ଭୋଟ ପାଇବା ଆଶା ରଖିଛି ବୋଲି ତ୍ରିପାଠୀ କହିଛନ୍ତି।