ବ୍ରେନ୍‌ ଖାଉଥିବା ଏମୋଇବା ସଂକ୍ରମଣ: ଆମେରିକାରେ ଆତଙ୍କ

ଓ୍ବାଶିଂଟନ,୨୪।୧୨: କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁ ନ ଥିବାବେଳେ ଆମେରିକାରେ ଏକ ନୂଆ ଆତଙ୍କ ଦେଖାଦେଇଛି। ମଣିଷ ବ୍ରେନ୍‌କୁ ଖାଉଥିବା ମାରାତ୍ମକ ଏମୋଇବା ନେଗଲେରିଆ ଫାଓଲେରି ସଂକ୍ରମଣ ଆମେରିକାର ଦକ୍ଷିଣ ଅଞ୍ଚଳରେ ବଢ଼ିବାରେ ଲାଗିଛି। ଧୀରେଧୀରେ ଏହି ସଂକ୍ରମଣ ଦେଶର ଉତ୍ତର ଅଞ୍ଚଳରେ ବ୍ୟାପିବା ଆରମ୍ଭ ହୋଇଥିବା କୁହାଯାଉଛି। ସମ୍ପ୍ରତି ଦେଶର ମଧ୍ୟବର୍ତ୍ତୀ ଅଞ୍ଚଳର କାନସାସା, ମିନ୍ନେସୋଟା ଏବଂ ଇଣ୍ଡିଆନାରେ ଏଭଳି ୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ମାରାତ୍ମକ ଏମୋଇବା ସାଧାରଣତଃ ମାଟି, ଉଷ୍ଣ ହ୍ରଦ, ନଦୀ ଏବଂ ଉଷ୍ଣ ଜଳଧାରା ଅଞ୍ଚଳରେ ମିଳିଥାଏ ବୋଲି ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନ୍‌ (ସିଡିସି) ପକ୍ଷରୁ କୁହାଯାଇଛି। ୨୦୦୯ରୁ ୨୦୧୮ ମଧ୍ୟରେ ୩୪ ଜଣ ଏହା ଦ୍ୱାରା ସଂକ୍ରମିତ ହୋଇଥିଲେ। ୧୯୬୨ଠାରୁ ୨୦୧୮ ମଧ୍ୟରେ ୧୪୫ ଜଣଙ୍କଠାରେ ଏହି ସଂକ୍ରମଣ ଚିହ୍ନଟ କରାଯାଇଥିବା ସିଡିସି ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କମଧ୍ୟରୁ କେବଳ ୪ ଜଣ ଚିକିତ୍ସାପରେ ଜୀବିତ ରହିଥିବା ସିଡିସି କହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ପ୍ରତିଶତଙ୍କ ବଞ୍ଚିବା ଅସମ୍ଭବ ହୋଇଥାଏ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

Share