Categories: ଫୁରସତ

ଦୃଷ୍ଟିବାଧିତଙ୍କ ସୃଜନଶୀଳତା ପାଇଁ ବ୍ରେଲି

ମନର କଥା ଏବଂ ସୃଜନଶୀଳତାର ପରିପ୍ରକାଶ ପାଇଁ ସଭିଙ୍କ ମନରେ ଥାଏ ବହୁ ଉତ୍କଣ୍ଠା। ମାତ୍ର ଦୃଷ୍ଟିବାଧିତଙ୍କ ଭଳି କେତେକଙ୍କ ପକ୍ଷରେ ଅକ୍ଷର ଚିହ୍ନିବା ପଢ଼ିବା ଏବଂ ଏହାର ପରିପ୍ରକାଶ ନିଜସ୍ବ ଢଙ୍ଗରେ କରିବା ସମ୍ଭବ ହୋଇ ପାରି ନ ଥାଏ। ସେଭଳି ଲୋକଙ୍କ ଲାଗି ବ୍ରେଲି ଅକ୍ଷର ହିଁ ସୃଜନଶୀଳତା ପରିପ୍ରକାଶର ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଥାଏ।

ଦୃଷ୍ଟିବାଧିତଙ୍କ ପାଇଁ ବ୍ରେଲିର ଉପଯୋଗୀତା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜାନୁୟାରୀ ୪ରେ ବିଶ୍ୱ ବ୍ରେଲି ଦିବସ ପାଳନ କରାଯାଇଥାଏ।

ଦୃଷ୍ଟିବାଧିତଙ୍କ ପାଇଁ ମାନବିକ ଅଧିକାରର ପୂର୍ଣ୍ଣ ହୃଦୟଙ୍ଗମ କରିବାରେ ଯୋଗାଯୋଗର ମାଧ୍ୟମ ଭାବରେ ବ୍ରେଲିର ମହତ୍ତ୍ୱ ବିଷୟରେ ସଚେତନତା ଲାଗି ଏହି ଦିବସ ପାଳିତ ହୁଏ। ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ନଭେମ୍ବର ୨୦୧୮ରେ ଘୋଷଣା ମାଧ୍ୟମରେ ଏହି କାର୍ଯ୍ୟକ୍ରମ ପାଳନ କରିବା ନିମନ୍ତେ ତାରିଖ ଚୟନ କରାଯାଇଥିଲା। ଦୃଷ୍ଟି ବାଧିତଙ୍କ ଲାଗି ଏହି ଲେଖା ପ୍ରଣାଳୀର ସୃଷ୍ଟିକର୍ତ୍ତା ଲୁଇସ୍‌ ବ୍ରେଲିଙ୍କ ଜନ୍ମଦିନ ପାଳନ ଅବସରରେ ଏହି ଦିନ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ୨୦୧୯ ଜାନୁଆରୀ ୪ରେ ପ୍ରଥମ ବିଶ୍ୱ ବ୍ରେଲି ଦିବସ ପାଳନ କରାଯାଇଥିଲା। ୧୮୦୯ ଜାନୁୟାରୀ ୪ରେ ଲୁଇସ୍‌ ବ୍ରେଲିଙ୍କ ଜନ୍ମ ହୋଇଥିଲା। ଏହାର ସ୍ମୃତିରେ ବିଶ୍ୱ ବ୍ରେଲି ଦିବସ ପାଳନ କରାଯାଇଥାଏ।

ପୃଥିବୀରେ ଥିବା ଏକ ବିଲିୟନ ଦୃଷ୍ଟି ବାଧିତଙ୍କୁ ସ୍ବାସ୍ଥ୍ୟ ସେବା, ଶିକ୍ଷା, ଚାକିରୀ ତଥା ସମାଜର ଅନ୍ୟାନ୍ୟ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସମ୍ଭାବନାକୁ ବୃଦ୍ଧି କରିବା ଲାଗି ଏହି ଦିବସ ପାଳନ ଅବସରରେ ପ୍ରୟାସ କରାଯାଇଥାଏ।
କରୋନା ମହାମାରୀ ସମୟରେ ସରକାରୀ ନିର୍ଦ୍ଦେଶାବଳୀ ତଥା ସତର୍କତାର ଅଭାବ ଯୋଗୁ ଅନେକ ଦୃଷ୍ଟି ବାଧିତ ଆକ୍ରାନ୍ତ ହେବାର ଆଶଙ୍କା ଥିବାବେଳେ ବିଶ୍ୱ ବ୍ରେଲି ଦିବସ ପାଳନ ଦ୍ୱାରା ଏଭଳି ଆଶଙ୍କାର ଦୂର କରାଯାଇ ପାରିଛି।

 

Share