କୋଭିଡ୍‌ ଡ୍ୟୁଟି କରିବାକୁ ଯାଇ ଲୋକଙ୍କ ଆକ୍ରୋଶର ଶିକାର ହେଲେ ବିପିଏମ୍‌

ପାଟଣା,୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁରସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ବିପିଏମ୍‌ ଧୀରେନ କୁମାର ମହନ୍ତ କୋଭିଡ୍‌ ଡ୍ୟୁଟି କରିବାକୁ ଯାଇ ସୋମବାର ବିଳମ୍ବିତ ରାତିରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି।
ସୂଚନା ଅନୁଯାୟୀ, ସାହରପଡ଼ା ବ୍ଲକ ଗଣ୍ଡବେଡ଼ା ଗ୍ରାମରେ ଗତ ଶନିବାର ସ୍ବାସ୍ଥ୍ୟ ବିଭାଗ ତରଫରୁ କରୋନା ଆର୍ଟିଫିସିଆଲ ଟେଷ୍ଟ ହୋଇଥିଲା। ସୋମବାର ଉକ୍ତ ଗ୍ରାମର ୩୬ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିବାପରେ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ହୋମ୍‌ କ୍ବାରାଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ଏକାବେଳେ ଏତେ ଜଣଙ୍କର କିଭଳି ପଜିଟିଭ ଆସିଲା ବୋଲି ଗଣ୍ଡବେଡ଼ା ଗାଁର ୪୦ରୁ ଊର୍ଦ୍ଧ୍ୱ ଯୁବକ ସୋମବାର ବିଳମ୍ବିତ ରାତିରେ ସୁଆଗପୁର ଗ୍ରାମକୁ ଯାଇ ବିପିଏମ୍‌ ମହନ୍ତଙ୍କ ଘର ସମ୍ମୁଖରେ ତାଙ୍କୁ ଅଶଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଘର ଗ୍ରୀଲକୁ ଭଙ୍ଗାରୁଜା କରିଥିଲେ। ଜୀବନ ବଞ୍ଚାଇବାକୁ ଯାଇ ଧୀରେନ କବାଟକିଳି ଘର ଭିତରେ ରହିଥିଲେ। ଏ ନେଇ ସେ ସିଡିଏମ୍‌ଓ ଅଶୋକ କୁମାର ଦାଶଙ୍କୁ ଅବଗତ କରାଇବା ସହ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି। ତେବେ ଅମାନିଆ ଲୋକେ କୋଭିଡ୍‌ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବା ଓ ଅସହଯୋଗ କରିବା ଦ୍ୱାରା କର୍ମଚାରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।