ଅଫିସରେ କେକ୍‌କାଟି ଅଡ଼ୁଆରେ ବିପିଏମ୍‌

ଚାନ୍ଦବାଲି,୨୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଫିସ ପରିସରରେ ଗୁରୁବାର ଅଫିସ ସମୟରେ ବ୍ଲକ୍‌ ପ୍ରୋଜେକ୍ଟ ମ୍ୟାନେଜର ବିପିଏମ୍‌ ଷ୍ଟାଲିନ୍‌ ନାୟକ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି। ଏ ନେଇ ଭାଜପା କୃଷକ ମୋର୍ଚ୍ଚା ଆପତ୍ତି ଉଠାଇଛନ୍ତି । ଏହା ସହ କାର୍ଯ୍ୟାନୁଷ୍ଠାନ ପାଇଁ ବିଡିଓଙ୍କ ମାଧ୍ୟମରେ ଜିଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।
ଅବ୍ୟବସ୍ଥାରେ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ଚାଲିଛି । ଏହି କାର୍ଯ୍ୟାଳୟରେ କେତେକ ଅଧିକାରୀ ମଧ୍ୟ କ୍ଷେତ୍ର ଅନୁଧ୍ୟାନ ନାମରେ ମନଇଚ୍ଛା ଅଫିସ ଆସୁଛନ୍ତି। ଫଳରେ ବିଭିନ୍ନ କାର୍ଯ୍ୟପାଇଁ ବ୍ଲକ କାର୍ଯ୍ୟାଳୟ ଆସୁଥିବା ଜନ ସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ବିପିଏମ୍‌ ଷ୍ଟାଲିନ ନାୟକ ଅଫିସରେ ଜନ୍ମଦିନ ପାଳନ କରି କେକ କାଟି ଅନ୍ୟମାନଙ୍କୁ ଖୁଆଉଥିବା ଫଟୋକୁ ନେଇ ଏବେ ସେ ଅଡ଼ୁଆରେ ପଡ଼ିଛନ୍ତି। ସରକାରୀ କାର୍ଯ୍ୟ ସମୟରେ ଏଭଳି ଜନ୍ମଦିନ ପାଳିବା, କାମରେ ଆସିଥିବା ଲୋକଙ୍କୁ ଅଫିସକୁ ନ ଛାଡିବା, ଉତ୍ସବରେ ବହୁ କର୍ମଚାରୀ ସାମିଲ ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର
ଧରିଛି। ଭାଜପା କୃଷକ ମୋର୍ଚ୍ଚା ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ଆଗରେ ନାରାବାଜି କରିବା ସହ ଚାନ୍ଦବାଲି ବିଡିଓଙ୍କ ମାଧ୍ୟମରେ ଭଦ୍ରକ ଜ଼ିଲାପାଳଙ୍କୁ କାର୍ଯାନୁଷ୍ଠାନ ପାଇଁ ଏକ ଦାବିପତ୍ର ଦେଇଛନ୍ତି।