Categories: Home Leftଖେଳ

ନ୍ୟୁଜିଲାଣ୍ଡକୁ ହରାଇବା ପରେ ଏହି ୩ ଖେଳାଳିଙ୍କ ଫ୍ୟାନ୍‌ ହେଲେ ଗମ୍ଭୀର, କଲେ ସ୍ପେଶାଲ ପୋଷ୍ଟ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ, ୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ବିଜୟ ପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଖେଳାଳିଙ୍କ ପ୍ରଶଂସାରେ ଏକ ସ୍ବତନ୍ତ୍ର ପୋଷ୍ଟ କରିଛନ୍ତି। ସେ ନୀତୀଶ କୁମାର ରେଡ୍ଡୀ, ତିଳକ ବର୍ମା ଓ ନମନ ଧୀରଙ୍କ ଫଟୋ ଶେୟାର କରି ମାତ୍ର ୩ଟି ଶବ୍ଦରେ କ୍ୟାପ୍ସନ ଲେଖିଛନ୍ତି। ଏହି ତିନି ଖେଳାଳିଙ୍କ ଚମତ୍କାର ବ୍ୟାଟିଂ ବଳରେ ଦ୍ୱିତୀୟ ଟି-୨୦ରେ ଭାରତ ବିଜୟୀ ହୋଇଥିଲା। ଗୋଟିଏ ସମୟରେ ମ୍ୟାଚରେ ନ୍ୟୁଜିଲାଣ୍ଡର ପଲ୍ଲା ଭାରୀ ରହିଥିଲା।

ଶନିବାର କ୍ରାଇଷ୍ଟଚର୍ଚ୍ଚରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଶ୍ରେୟସ ଆୟର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଗ୍ଲେନ ଫିଲିପ୍ସଙ୍କ ୭୦ ରନ ଓ ବେଭନ ଜ୍ୟାକବ୍ସଙ୍କ ୫୮ ରନ୍ର ଅର୍ଦ୍ଧଶତକୀୟ ଇନିଂସ ବଳରେ ଘରୋଇ ଦଳ ୧୮୦ ରନ କରିଥିଲା। ଭାରତ ସମ୍ମୁଖରେ ୧୮୧ ରନର ବିଜୟ ଲକ୍ଷ୍ୟ ରହିଥିଲା। ଏହାର ପିଛା କରିବାକୁ ଯାଇ ଭାରତୀୟ ଦଳ ମାତ୍ର ୭୦ ରନ ମଧ୍ୟରେ ଅଧା ଉଇକେଟ୍‌ ହରାଇଥିଲା। ଭାରତର ପରାଜୟ ନିଶ୍ଚିତ ମନେ ହେଉଥିବା ବେଳେ ନମନ ଧୀର, ତିଳକ ବର୍ମା ଓ ନୀତୀଶ କୁମାର ରେଡ୍ଡୀ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ। ଗୌତମ ଗମ୍ଭୀର ନିଜ ଅନ୍ଦାଜରେ ଏହି ଖେଳାଳିଙ୍କ ପ୍ରଶଂସା କରିଛନ୍ତି।

ସଞ୍ଜୁ ସାମସନ (୧୪), ଅଭିଷେକ ଶର୍ମା (୨୭), ବୈଭବ ସୂର୍ଯ୍ୟବଂଶୀ (୪), ଶ୍ରେୟସ ଆୟର (୭) ଓ ଅକ୍ଷର ପଟେଲଙ୍କ ଉଇକେଟ୍‌ ହରାଇ ଭାରତ ୭୦ ରନରେ ଟପ-୫ ବ୍ୟାଟରଙ୍କୁ ପାଭିଲିୟନକୁ ପଠାଇଥିଲା। ଏଭଳି ସଙ୍କଟଜନକ ସ୍ଥିତିରେ ତିଳକ ବର୍ମା ଓ ନମନ ଧୀରଙ୍କ ମଧ୍ୟରେ ୪୨ ରନର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି ହୋଇଥିଲା। ନମନ ଧୀର ମାତ୍ର ୧୭ଟି ବଲରେ ୩ଟି ଛକା ସହ ୩୧ ରନ କରିଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ନୀତୀଶ କୁମାର ରେଡ୍ଡୀ ତିଳକ ବର୍ମାଙ୍କ ସହ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହିଥିଲେ। ମ୍ୟାଚ୍ର ଗୋଟିଏ ବଲ ବାକି ଥାଇ ଉଭୟ ଭାରତକୁ ବିଜୟୀ କରାଇଥିଲେ।

ତିଳକ ବର୍ମା ମାତ୍ର ୨୬ଟି ବଲରେ ୫୧ ରନ କରିଥିବା ବେଳେ ନୀତୀଶ କୁମାର ରେଡ୍ଡୀ ୧୩ଟି ବଲରୁ ୨୬ ରନ କରିଥିଲେ। ଗୌତମ ଗମ୍ଭୀର ଏହି ତିନି ଖେଳାଳିଙ୍କ ଫଟୋ ଶେୟାର କରି ନିଜର ଏକ୍ସ (X) ଆକାଉଣ୍ଟରେ ଲେଖିଛନ୍ତି, Boys Becoming Men। ଏହାର ଅର୍ଥ ହେଉଛି, ପିଲାମାନେ ଏବେ ପରିପକ୍ୱ ଖେଳାଳି ହେବାକୁ ଲାଗିଛନ୍ତି।

Dharitri – Odisha’s No.1 Odia Daily

Share