ଦୁଃଖୀ ଅଛନ୍ତି ଅମିର

ବଲିଉଡ ଅଭିନେତା ଅମିର ଖାଁ ପ୍ରାୟ ଚାରି ବର୍ଷ ପରେ ‘ଲାଲ ସିଂ ଚଢା’ ସହିତ ବଡ ପରଦାକୁ ଫେରୁଛନ୍ତି। ଅଦୈତ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଆସନ୍ତା ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। କିନ୍ତୁ ଫିଲ୍ମ ରିଲିଜ୍‌ ପୂର୍ବରୁ ସୋସିଆଲ ମିଡିଆରେ #BoycottLaalSinghChaddha ଟ୍ରେଣ୍ଡ୍‌ କରୁଛି। ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଅମିର। ସେ କହିଛନ୍ତି, ଏହା ଦୁର୍ଭାଗ୍ୟଜନକ ଯେ କିଛି ଲୋକ ଭାବୁଛନ୍ତି ମୁଁ ମୋ ଦେଶକୁ ଭଲ ପାଉନାହିଁ। ଏହା ସତ୍ୟ ନୁହେଁ। ଦୟାକରି ମୋ ଫିଲ୍ମକୁ ବଏକଟ୍‌ କରନ୍ତୁ ନାହିଁ। ଏହାକୁ ଦେଖନ୍ତୁ।
୨୦୧୫ରେ, ଅମିର ଏକ ମନ୍ତବ୍ୟ ଯୋଗୁ ଚର୍ଚ୍ଚାରେ ଥିଲେ। ସେ କହିଥିଲେ, ଆମ ଦେଶ ଅତ୍ୟନ୍ତ ସହନଶୀଳ, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଅନୈତିକ ଉଦ୍ଦେଶ୍ୟ ବିସ୍ତାର କରୁଛନ୍ତି। କେବଳ ଏତିକି ନୁହେଁ, ଅମିର ପୂର୍ବତନ ସ୍ତ୍ରୀ ତଥା ଫିଲ୍ମ ନିର୍ମାତା କିରଣ ରାଓ କହିଥିଲେ, ସେ ନିଜ ପିଲାମାନଙ୍କ ସୁରକ୍ଷା ପାଇଁ ଦେଶ ଛାଡିବାକୁ ଚିନ୍ତା କରୁଛନ୍ତି। ଏହି ପୁରୁଣା ମନ୍ତବ୍ୟ ହେତୁ ଲୋକେ ତାଙ୍କୁ ହିନ୍ଦୁ ବିରୋଧୀ ଏବଂ ଭାରତ ବିରୋଧୀ ବୋଲି କହୁଛନ୍ତି।
‘ଲାଲ ସିଂ ଚଢା’ ଟମ ହ୍ୟାଙ୍କସଙ୍କ ଅଭିନୀତ ହଲିଉଡ ଫିଲ୍ମ ଫରେଷ୍ଟ ଗମ୍ପର ହିନ୍ଦୀ ରିମେକ। ଅଦୈତ ଚନ୍ଦନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କରୀନା କପୁର ଖାନ ଏବଂ ମୋନା ସିଂ ମଧ୍ୟ ଅଭିନୟ କରିଛନ୍ତି।

Share