ନ୍ୟୁୟର୍କରେ ‘ବଏକଟ୍‌ ଚାଇନା’ ରାଲି

ନ୍ୟୁୟର୍କ,୫ା୭(ପି.ଟି.): ଆମେରିକାର ନ୍ୟୁୟର୍କ ସହରରେ ଥିବା ଟାଇମ୍ସ ସ୍କୋୟାରରେ ବହୁସଂଖ୍ୟାରେ ଭାରତୀୟ-ଆମେରିକୀୟ ଏକାଠି ହୋଇ ଚାଇନାକୁ ବିରୋଧ କରିବା ସହ ‘ଭାରତ ମାତା କୀ ଜୟ’ ସ୍ଳୋଗାନ ଦେଇଥିଲେ। ଏହି ‘ବଏକଟ୍‌ ଚାଇନା’ ରାଲିରେ ସେମାନେ ବେଜିଂ ଅର୍ଥନୀତିକୁ ବର୍ଜନ କରିବା ସହ ଏହି ଦେଶକୁ କୂଟନୈତିକ ଏକଘରିଆ କରିବା ଲାଗି ଦାବି କରିଥିଲେ। ଲଦାଖ ସୀମାରେ କେତେକ ଅଞ୍ଚଳକୁ ଅକ୍ତିଆର କରିବା ପାଇଁ ଚାଇନା ଚଳାଇଥିବା ଉଦ୍ୟମକୁ ବିକ୍ଷୋଭକାରୀମାନେ ନିନ୍ଦା କରିଥିଲେ। ନ୍ୟୁୟର୍କ ଓ ନ୍ୟୁଜର୍ସିରେ ରହୁଥିବା ଭାରତୀୟଙ୍କ ସମେତ ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଆସୋସିଏଶନ୍‌ର କାର୍ଯ୍ୟକର୍ତ୍ତାମାନେ ‘ଚାଇନା ଦ୍ରବ୍ୟ ବର୍ଜନ କର’, ‘ଭାରତ ମାତା କୀ ଜୟ’ ଏବଂ ଚାଇନା ଆକ୍ରମଣ ବନ୍ଦ କରୁ ଆଦି ସ୍ଳୋଗାନ ଦେଇଥିଲେ। କରୋନା ମହାମାରୀ ଯୋଗୁ ବିକ୍ଷୋଭକାରୀମାନେ ମାସ୍କ ପିନ୍ଧିଥିଲେ। ବିକ୍ଷୋଭରେ ତିବ୍ବତୀୟ ଏବଂ ତାଇଓ୍ବାନ ସମ୍ପ୍ରଦାୟର ଲୋକେ ମଧ୍ୟ ସାମିଲ ହୋଇ ଚାଇନାକୁ ବିରୋଧ କରିଥିଲେ।

Share