Categories: ଜାତୀୟ

ଜୀବନ ସହ ସଂଘର୍ଷ କରୁଛନ୍ତି ‘ବଚପନ କା ପ୍ୟାର’ ଗାୟକ

ସୁକମା,୨୮।୧୨: ‘ବଚପନ କା ପ୍ୟାର’ ଗୀତ ଗାଇ ଇଣ୍ଟରନେଟ୍‌ରେ ସେନସେଶନ ପାଲଟି ଯାଇଥିବା ଶହଦେବ ଦିର୍ଦୋ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି। ଛତିଶଗଡ଼ର ସୁକମା ଜିଲାରେ ଘଟିଥିବା ଏକ ବାଇକ୍‌ ଦୁର୍ଘଟଣାରେ ସେ ଗୁରୁତର ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଏହି ଦୁର୍ଘଟଣା ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଘଟିଛି। ହେଲମେଟ ପିନ୍ଧି ନ ଥିବା ଶହଦେବଙ୍କ ମୁଣ୍ଡରେ ଆଘାତ ଲାଗିଛି। କିନ୍ତୁ ଏହି ଦୁର୍ଘଟଣାରେ ଗାଡ଼ି ଚାଳକ ସାମାନ୍ୟ ଆହତ ହୋଇଥିବା ସୁକମା ପୋଲିସ ସୁପ୍ରିଟେନଡେଣ୍ଟ ସୁନିଲ ଶର୍ମା କହିଛନ୍ତି। ନାବାଳକଙ୍କୁ ପ୍ରଥମେ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଜଗଦଲପୁର ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିବା ଶର୍ମା କହିଛନ୍ତି।

ଶହଦେବଙ୍କ ଦୁର୍ଘଟଣା ଖବର ପାଇ ହସ୍ପିଟାଲରେ ସୁକମା ଜିଲାପାଳ ବିନୀତ ନନ୍ଦନଓ୍ବାର ଓ ସୁନିଲ ଶର୍ମା ପହଞ୍ଚିଥିଲେ। ଶହଦେବଙ୍କୁ ତୁରନ୍ତ ଭଲ ମେଡିକାଲ ସୁବିଧା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ସ୍କୁଲ ୟୁନିଫର୍ମରେ ସେ ‘ବଚପନ କା ପ୍ୟାର’ ଗୀତ ଗାଉଥିବା ବେଳର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓକୁ ୨୦୧୯ରେ ତାଙ୍କ ଶିକ୍ଷକ ରେକର୍ଡ କରିଥିଲେ। ଗତ ଅଗଷ୍ଟରେ ଗୀତର ନୂଆ ଭର୍ସନ ରିଲିଜ କରିଥିଲେ ର଼୍ୟାପର ବାଦଶା।

Share