ଏମିତି ରିପୋର୍ଟିଂ କଲେ କୁନି ଶିଶୁ, ଖୁସିରେ ଭିଡିଓ ଶେୟାର କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୨ା୮: ମଣିପୁରର ଜଣେ କୁନି ଶିଶୁଙ୍କ ଭିଡିଓ ଭାଇରାଲ ହେଉଛି। ଏହି ଶିଶୁ ଜଣକ ରିପୋର୍ଟିଂ କରୁଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ମଣିପୁରର ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ଗସ୍ତ ସମୟରେ ଶିଶୁ ଜଣକ ରିପୋର୍ଟିଂ କରୁଛନ୍ତି।

କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ସେନାପତି ଜିଲାରେ ଅକ୍ସିଜେନ ପ୍ଲାଣ୍ଟର ଉଦ୍‌ଘାଟନ କରିବା ପାଇଁ ପହଞ୍ଚିଥିଲେ। ଏହି ସମୟରେ ଛୋଟ ଶିଶୁଟି ରିପୋର୍ଟିଂ କରିଥିଲେ। ଯେଉଁ ଭିଡିଓଟି ଖୁବ୍‌ ଭାଇରାଲ ହେଉଛି।

ମୁଖ୍ୟମନ୍ତ୍ରୀ ନିଜେ ଏହି ରିପୋର୍ଟିଂ ଭିଡିଓର ଏକ ଶର୍ଟ କ୍ଲିପ୍‌କୁ ଟୁଇଟ୍‌ କରି ପିଲାଟିକୁ ପ୍ରଶଂସା କରିଛନ୍ତି। ଭିଡିଓରେ ଶିଶୁ ଜଣକ ସାମ୍ବାଦିକ ଭୂମିକା ତୁଲାଉଥିବା ନଜର ଆସିଛନ୍ତି। ଏକ କୋଠା ଛାତରେ ଠିଆ ହୋଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟର ଟିକ୍‌ନିକ୍‌ ରିପୋର୍ଟିଂ କରୁଥିବା ଦେଖିବାକୁ ମିଳିଛି।

ଭାଇରାଲ ଭିଡିଓରେ ପିଲାଟି ଏକ ଟି-ଶର୍ଟ ପିନ୍ଧି ଛାତ ଉପରେ ଠିଆ ହୋଇଛନ୍ତି। ତଳେ କିଛି ଦୂରରେ ଏକ ହେଲିକପ୍ଟର ମଧ୍ୟ ପଡ଼ିଆରେ ଲ୍ୟାଣ୍ଡିଂ କରିଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ପିଲାଟି ନିଜ ଢଙ୍ଗରେ ରିପୋର୍ଟିଂ କରୁଛନ୍ତି। ଜଣେ ବଡ଼ ରିପୋର୍ଟର ପରି ସେ ରିପୋର୍ଟିଂ କରୁଛନ୍ତି। ସେ ଏହି ରିପୋର୍ଟିରେ କହୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷାରେ ବହୁତ ଗାଡ଼ି ରହଛି। ଆମର ମୁଖ୍ୟମନ୍ତ୍ରୀ ଅକ୍ସିଜେନ ପ୍ଲାଟର ଉଦ୍‌ଘାଟନ କରିବାକୁ ଆସିଛନ୍ତି। ପିଲାଟି ନିଜ ଢଙ୍ଗରେ ପୂରା ଘଟଣାର ରିପୋର୍ଟିଂ କରୁଛନ୍ତି।

ମୁଖ୍ୟମନ୍ତ୍ରୀ ନିଜର ଟୁଇଟର ଆକାଉଣ୍ଟରେ ଏହି କୁନି ଶିଶୁର ଭିଡିଓ ଶେୟାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଏଥିରେ କ୍ୟାପଶନ ଲେଖିଛନ୍ତି, ସେନାପତିରେ ମୋର ଯୁବ ବନ୍ଧୁଙ୍କୁ ଦେଖନ୍ତୁ। ଯିଏ ସେନାପତି ଜିଲା ଡାକ୍ତରଖାନାରେ ପିଏସ୍‌ଏ ଅମ୍ଳଜାନ କାରଖାନାର ଉଦ୍‌ଘାଟନ ପାଇଁ ଜିଲା ଗସ୍ତ ବିଷୟରେ ସୂଚନା ଦେଉଥିଲେ।

ଭିଡିଓଟିକୁ ସୋସିଆଲ ମିଡିଆରେ ବର୍ତ୍ତମାନ ସୁଦ୍ଧା ୫୦ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ୟୁଜରମାନେ ମଧ୍ୟ ବେଶ୍‌ ଭଲ କମେଣ୍ଟ ସବୁ ଦେଇଛନ୍ତି। କେହି କେହି ଶିଶୁଟିକୁ ଜଣେ ବଡ଼ ରିପୋର୍ଟର କହିଥିବା ବେଳେ ଆଉ କେହି ତାଙ୍କର ଆତ୍ମବିଶ୍ୱାସକୁ ପ୍ରଶଂସା କରୁଛନ୍ତି।

Share