କେସିଙ୍ଗା,୧୧।୫.(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ସୁକୁନାଭଟା ଗ୍ରାମ ନିକଟରେ ରବିବାର ଦୁର୍ଘଟଣା ଘଟିଛି। ଗ୍ରାମର ଶ୍ରୀକାନ୍ତ ସାହୁଙ୍କ ପୁଅ ନରସିଂହ ସାହୁ(୧୭)ରାତିରେ ଜାତୀୟ ରାଜପଥର ଏକ ପୋଲରେ ବସିଥିବା ବେଳେ କେସିଙ୍ଗାରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ ଅଜଣା ପିକଅପ ଭ୍ୟାନ ବୁଲାଣିରେ ଭାରସାମ୍ୟ ହରାଇ ଛାତ୍ର ନରସିଂହଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଏହି ଖବର ପରିବାର ଓ ଗ୍ରାମବାସୀ ଜାଣିଲା ପରେ ନରସିଂହଙ୍କୁ ଗୁରୁତର ଅବସ୍ଥାରେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକଚିକିତ୍ସା ପରେ ଅବସ୍ତା ଅତି ସଙ୍କଟାପନ୍ନ ହେବାରୁ ତାଙ୍କୁ ଭବାନୀପାଟଣାକୁ ସ୍ଥାନାନ୍ତରିତ କରା ଯାଇଥିଲା। ସେଠାରେ ଡାକ୍ତର ନରସିଂହଙ୍କୁ ମୃତ ଘୋଷଣା କରିବା ପରେ ସୋମବାର ସକାଳେ ପରିବାର ବର୍ଗ ଜାତୀୟ ରାଜପଥ ୨୬ ଉପରେ ମୃତଦେହ ରଖି କେସିଙ୍ଗାରୁ-ବଲାଙ୍ଗୀରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାମଣା କରିଥିଲେ। ଜାତୀୟ ରାଜପଥର ଉଭୟ ପଟେ ରାସ୍ତା ଅବରୋଧ କରାଯାଇ ଥିବାରୁ ଅନେକ ସରକାରୀ ବସ୍, ବିଭିନ୍ନ ଯାନବାହନ ଅଟକି ରହିଥିଲା।
ଏସଂକ୍ରାନ୍ତରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନଙ୍କୁ ପଚାରିବାରୁ ବୁଝାମଣା ପରେ ପରିବାରବର୍ଗଙ୍କୁ ଘଟଣାସ୍ଥଳରେ ୧୦ହଜାର ଦିଆ ଗଲା ଆସନ୍ତାକାଲି ପୁଣି ୧୦ ହଜାର ଦିଆ ଯିବ, ବର୍ତ୍ତମାନ ସମସ୍ତ ଯାନବାହନ ଚଳାଚଳ ଠିକ ଭାବେ ହେଉଛି ବୋଲି ପ୍ରକାଶ କରିଥିଲେ ।