Categories: ଖେଳ

ବକ୍ସିଂ କୋଚ୍‌ ଓ.ପି. ଭରଦ୍ୱାଜଙ୍କ ପରଲୋକ

ନୂଆଦିଲ୍ଲୀ,୨୨।୫(ପି.ଟି.): ଜଣାଶୁଣା ବକ୍ସିଂ କୋଚ୍‌ ଓ.ପି. ଭରଦ୍ୱାଜ ୮୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ବକ୍ସିଂରେ ସେ ଭାରତର ପ୍ରଥମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଜିତିଥିଲେ। ବୟସାଧିକ୍ୟ କାରଣରୁ ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହି ଆସୁଥିଲେ। ୧୦ ଦିନ ତଳେ ତାଙ୍କ ସ୍ତ୍ରୀ ସନ୍ତୋଷ ସ୍ବାସ୍ଥ୍ୟଗତ ଦୁର୍ବଳତା କାରଣରୁ ମୃତ୍ୟୁବରଣ କରିଥିଲେ।
୧୯୮୫ରେ ଭରଦ୍ୱାଜ ମିଳିତ ଭାବେ ରେସଲିଂ କୋଚ୍‌ ବାଲଚନ୍ଦ୍ର ଭାସ୍କର ଭଗବତ୍‌ ଓ ଆଥ୍‌ଲେଟିକ୍ସ କୋଚ୍‌ ଓ.ଏମ୍‌. ନାମ୍ବିଆରଙ୍କ ସହ କୋଚିଂରେ ଦେଶର ସର୍ବଶ୍ରେଷ୍ଠ ପୁରସ୍କାର ଦ୍ରୋଣାଚାର୍ଯ୍ୟ ପୁରସ୍କାର ଜିତିଥିଲେ। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ୧୦ ଦିନ ତଳେ ସ୍ତ୍ରୀଙ୍କ ଦେହାନ୍ତ କାରଣରୁ ସେ ମାନସିକ ଭାବେ ଆଘାତ ପାଇଥିଲେ ବୋଲି ତାଙ୍କର ଜଣେ ପାରିବାରିକ ବନ୍ଧୁ କହିଛନ୍ତି।
୧୯୬୮ରୁ ୧୯୮୯ ପର୍ଯ୍ୟନ୍ତ ସେ ଭାରତୀୟ ଜାତୀୟ ବକ୍ସିଂ କୋଚ୍‌ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ସେ ମଧ୍ୟ ଚୟନକର୍ତ୍ତା ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ତତ୍ତ୍ୱାବଧାନରେ ଭାରତୀୟ ବକ୍ସରମାନେ ଏସିଆନ ଗେମ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ସାଉଥ୍‌ ଏସିଆନ ଗେମ୍ସରେ ପଦକ ହାସଲ କରିଥିଲେ। ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ଅଧ୍ୟକ୍ଷ ଅଜୟ ସିଂ ଦୁଃଖପ୍ରକାଶ କରିଛନ୍ତି। ଭରଦ୍ୱାଜ ଭାରତୀୟ ବକ୍ସିଂର କର୍ଣ୍ଣଧାର ଥିଲେ। ସେ କେତୋଟି ପିଢିର ବକ୍ସର ଓ କୋଚ୍‌ଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ। ଚୟନକର୍ତ୍ତା ଭାବେ ମଧ୍ୟ ତାଙ୍କ କାର୍ଯ୍ୟ ବେଶ୍‌ ପ୍ରଶଂସନୀୟ ଥିଲା ଓ ତାଙ୍କର ଦୂରଦୃଷ୍ଟି ଥିଲା ବୋଲି ଅଜୟ କହିଛନ୍ତି। ପଟିଆଲାସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସ୍ପୋଟର୍‌ସରେ ବକ୍ସିଂ ଡିପ୍ଲୋମା କୋଚିଂ କୋର୍ସର ପ୍ରଥମ ଶିକ୍ଷକ ତଥା ଇନ୍‌ଷ୍ଟ୍ରକ୍ଟର ଥିଲେ। ୨୦୦୮ରେ ମଧ୍ୟ ସେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ କେତେମାସ ବକ୍ସିଂ ଟେକ୍‌ନିକ ନେଇ ପ୍ରଶିକ୍ଷଣ ଦେଇଥିଲେ। ବକ୍ସିଂ ପ୍ରତି ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ।

Share