Categories: ଖେଳ

ବୋଲ୍ଟ, ଚହଲଙ୍କ ବୋଲିଂ ସଫଳତା

ମୁମ୍ବାଇ,୨ା୪: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ସୋମବାର ଟ୍ରେଣ୍ଟ ବୋଲ୍ଟ ଓ ୟୁଜବେନ୍ଦ୍ର ଚହଲ ୩ ଉଇକେଟ ନେଇଥିବା ବେଳେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ୧୨୫/୯ରେ ସୀମିତ ରହିଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇର ୩ ଜଣ ବ୍ୟାଟର ଖାତା ଖୋଲି ପାରି ନ ଥିବା ବେଳେ ୭ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଜବାବରେ ଖବର ପ୍ରସ୍ତୁତ ବେଳକୁ ରାଜସ୍ଥାନ ୬ ଓଭରରେ ୨ ଉଇକେଟ ହରାଇ ୪୬ ରନ୍‌ କରିଛି।
ଟସ୍‌ ହାରି ରାଜସ୍ଥାନ ପ୍ରଥମେ ବୋଲିଂ କରିଥିଲା। ପ୍ରଥମ ଓଭରରେ ଖାତା ଖୋଲିବା ଆଗରୁ ରୋହିତ ଶର୍ମା ଓ ନମନ ଧୀରଙ୍କୁ ଆଉଟ କରିଥିଲେ ବୋଲ୍ଟ। ପ୍ରଥମ ଓଭରରେ ହିଁ ଡଓ୍ବୋଲ୍ଡ ବ୍ରେଭିସ୍‌ ଇମ୍ପାକ୍ଟ ସବ୍‌ ଭାବରେ ଆସିଥିଲେ ତେବେ ସେ ମଧ୍ୟ ଖାତା ଖୋଲିବା ଆଗରୁ ବୋଲ୍ଟଙ୍କ ଶିକାର ହୋଇଥିଲେ। ଇଶାନ କିଶନ ୧୬ ରନ୍‌ କରି ନାନ୍ଦ୍ରେ ବର୍ଗରଙ୍କ ବଲରେ ଆଉଟ ହେବାରୁ ୨୦ ରନ୍‌ ମଧ୍ୟରେ ୪ ଉଇକେଟ ହରାଇଥିଲା ମୁମ୍ବାଇ। ପରବର୍ତ୍ତୀ ଦୁଇ ବ୍ୟାଟର ହାର୍ଦ୍ଦିକ ପାଣ୍ଡ୍ୟା ୩୪ ଓ ତିଳକ ବର୍ମା ୩୨ ରନ କାଉଣ୍ଟର ଆଟାକ କରିଥିଲେ। ଉଭୟ ୫୬ ରନ୍‌ ଯୋଡିଥିବା ବେଳେ ଚହଲଙ୍କୁ ବଡ ଶଟ୍‌ ଖେଳିବାକୁ ଯାଇ ଆଉଟ ହୋଇଥିଲେ ପାଣ୍ଡ୍ୟା। ୨୧ ବଲ୍‌ ଖେଳି ସେ ୬ ଚୌକା ମାରିଥିଲେ। ଅନ୍ୟ ପକ୍ଷରେ ତିଳକ ୨୯ ବଲ୍‌ ଖେଳି ୨ ଛକା ମାରିଥିଲେ। ଶେଷ ଭାଗରେ ଟିମ ଡେଭିଡ୍‌ ୧୭ ରନ୍‌ କରିବାରୁ ମୁମ୍ବାଇ ୧୨୫ ରନ୍‌ରେ ପହଞ୍ଚିଥିଲା। ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଓ ୟୁଜବେନ୍ଦ୍ର ଚହଲ ୩ ଉଇକେଟ ଲେଖାଏ ଉଇକେଟ ନେଇଥିଲେ। ନାନ୍ଦ୍ରେ ବର୍ଗର ୨ ଓ ଆଭେଶ ଖାନ୍‌ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୨୫/୯(ହାର୍ଦ୍ଦିକ ପାଣ୍ଡ୍ୟା-୩୪, ତିଳକ ବର୍ମା-୩୨,ଟିମ୍‌ ଡେଭିଡ୍‌-୧୭, ୟୁଜବେନ୍ଦ୍ର ଚହଲ-୩/୧୧, ଟ୍ରେଣ୍ଟ ବୋଲ୍ଟ-୩/୨୨, ନାନ୍ଦ୍ରେ ବର୍ଗର-୨/୩୨, ଆଭେଶ ଖାନ୍‌-୧/୩୦)।

Share