ଝାରସୁଗୁଡ଼ା ଜିଲାରେ ୫ରୁ ଧାନ କିଣା

ଝାରସୁଗୁଡ଼ା ଅଫିସ,୧୧।୧୧: ଝାରସୁଗୁଡ଼ା ଜିଲାରେ ଧାନ କିଣା ସକାଶେ ଚଳିତ ଖରିଫ ଋତୁର ପ୍ରଥମ ଜିଲାସ୍ତରୀୟ ଧାନ କିଣା (ଡିଏଲ୍‌ପିସି) ବୈଠକ ଜିଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଡିଏମ୍‌ଏଫ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଉମେଶ ଚନ୍ଦ୍ର ସ୍ବାଇଁ ପରିଚାଳନା କରିଥିଲେ। ବୈଠକରେ ବିଭିନ୍ନ କୃଷକ ସଙ୍ଗଠନର କାର୍ଯ୍ୟକର୍ତ୍ତା ଯୋଗଦେଇ ଡିସେମ୍ବର ପ୍ରଥମ ସପ୍ତାହରୁ ଧାନ କିଣା ଆରମ୍ଭ ପାଇଁ ଦାବି କରିଥିଲେ। ଏହି କ୍ରମରେ ଆସନ୍ତା ଡିସେମ୍ବର ୫ରୁ ଜିଲାରେ ଧାନ କିଣା ଆରମ୍ଭ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଜିଲାର ଧାନ କିଣା ଲକ୍ଷ୍ୟ ୬ଲକ୍ଷ ୪୮ ହଜାର ୮୨୩.୨୩ କୁଇଣ୍ଟାଲ (୬,୪୮,୮୨୩) ଧାନ କ୍ରୟ ସକାଶେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆବଶ୍ୟକତା ମତେ ଏହି ଲକ୍ଷ୍ୟ ବୃଦ୍ଧି ହୋଇପାରେ ବୋଲି କୁହାଯାଇଛି। ଗତ ଖରିଫ ଋତୁରେ ସମବାୟ କର୍ମଚାରୀ ଗଣ ଆନ୍ଦୋଳନରେ ଥିବା ହେତୁ ୮୨ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଧାନ କିଣା ଦାୟିିତ୍ୱ ଦିଆଯାଇଥିଲା। ତେବେ ଚଳିତ ବର୍ଷ ସ୍ବାଭାବିକ ଭାବେ ସମସ୍ତ ୩୨ଟି ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ଧାନ କିଣା ପ୍ରକ୍ରିୟାରେ ସାମିଲ ହେବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। ଏହା ବ୍ୟତୀତ ଜିଲାର ପ୍ରାୟ ୨୫ଟି ସକ୍ଷମ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ଏଥିରେ ସାମିଲ କରାଯିବ ବୋଲି କୁହାଯାଇଛି। ବୈଠକରେ ଚାଷୀମାନେ ଧାନ କ୍ରୟ କେନ୍ଦ୍ରରେ ପାନୀୟ ଜଳ, ଛାୟା ଆଦି ଦାବି କରିଥିଲେ। ଚଳିତ ବର୍ଷ ଜିଲାର ୯ଜଣ ମିଲର୍ସଙ୍କୁ ଏହି ଧାନ କ୍ରୟ ପ୍ରକ୍ରିୟାରେ ଟେଗ କରାଯାଇଛି। ବୈଠକରେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ଅତିରିକ୍ତ ଜିଲାପାଳ (ସାଧାରଣ) ପ୍ରବୀର ନାୟକ, ଉପଜିଲାପାଳ ଦୟାମୟ ପାଢ଼ୀ, ସାଂସଦ ପ୍ରତିନିଧି ରଘୁନନ୍ଦନ ପଣ୍ଡା, ଝାରସୁଗୁଡ଼ା ବିଧାୟକଙ୍କ ପ୍ରତିନିଧି ପ୍ରମୁଖ ମଞ୍ଚାସୀନ ଥିଲେ। ଏହାବ୍ୟତୀତ ସମବାୟ ବିଭାଗ, କୃଷି ବିଭାଗର ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।