ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା ହୋଇଛି। ଦେଶର ସବୁଠାରୁ ନିମ୍ନ ସ୍ତରରେ ଥିବା ୫ ରୁ ୧୦ ପ୍ରତିଶତ ଜନସଂଖ୍ୟାଙ୍କ ମାସିକ ବ୍ୟବହାର କ୍ଷମତାରେ ସର୍ବାଧିକ ବୃଦ୍ଧି ଘଟିଛି। ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଯୋଗୁଁ ଦାରିଦ୍ର୍ୟ ହ୍ରାସ ପାଇବା ସହ ଏହି ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିଥିବା ରିପୋର୍ଟରେ ଦର୍ଶାଯାଇଛି।
ସବ୍ସିଡି, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (DBT), ପେନ୍ସନ୍ ଏବଂ ସ୍ୱାସ୍ଥ୍ୟ ବୀମା ଭଳି ପଦକ୍ଷେପ ଗରିବ ଲୋକଙ୍କ ଆୟ ବୃଦ୍ଧିରେ ସହାୟକ ହୋଇଛି। ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବାକୁ ସହଜରେ ଉପଲବ୍ଧ କରାଇବା ପାଇଁ ସରକାରୀ ବ୍ୟୟ ବୃଦ୍ଧି ପାଇଛି। ଯାହା ଶୋଷିତ ବର୍ଗଙ୍କୁ ଦାରିଦ୍ର୍ୟରୁ ବାହାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଗ୍ରାମାଞ୍ଚଳରେ ଉପଭୋକ୍ତା ଖର୍ଚ୍ଚ ବୃଦ୍ଧି ପାଇଛି, ଯାହା ସ୍ଥାନୀୟ ଅର୍ଥନୀତିକୁ ଗତିଶୀଳ କରିଛି।
ଘରୋଇ ଉପଭୋକ୍ତା ବ୍ୟୟ ସର୍ଭେ (HCES) ୨୦୨୩-୨୪ ଅନୁଯାୟୀ, ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ରହୁଥିବା ସର୍ବନିମ୍ନ ୧୦% ଆୟକାରୀ ବର୍ଗଙ୍କ ମଧ୍ୟରେ ମାସିକ ମୁଣ୍ଡପିଛା ବ୍ୟୟ (MPCE) ସର୍ବାଧିକ ବଢ଼ିଛି। ଏହା ଦର୍ଶାଉଛି ଯେ ସରକାରଙ୍କ ‘ଅନ୍ତ୍ୟୋଦୟ’ ଲକ୍ଷ୍ୟ ସଫଳ ହେଉଛି।
ସର୍ଭେରେ କୁହାଯାଇଛି ଯେ ଗ୍ରାମାଞ୍ଚଳର ପାରମ୍ପରିକ ସଂସ୍କୃତି ଓ ପରିବେଶକୁ ବଜାୟ ରଖିବା ସହ ସେଠାରେ ନୂତନ ଜୀବିକା ଓ ଶିକ୍ଷାର ସୁଯୋଗ ସୃଷ୍ଟି କରିବାକୁ ହେବ। ଏଥିପାଇଁ ଗ୍ରାମୀଣ ଅର୍ଥନୀତିରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଏବଂ ସମୁଦାୟର ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଛି।

