ଦରଗାହରେ ଉଭୟ ଶିବରାତ୍ରି-ନମାଜ, ପୋଲିସ ସୁରକ୍ଷା ବଢ଼ାଇଲା…

ବେଙ୍ଗାଲୁରୁ,୧୮।୨ : କର୍ନାଟକର ଦରଗାହରେ ଉଭୟ ଶିବରାତ୍ରି ପାଳନ ଏବଂ ନମାଜ ପାଠ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ରାଜ୍ୟର କାଲାବୁରଗି ଜିଲାରେ ଅବସ୍ଥିତ ଦରଗାହରେ ହିନ୍ଦୁମାନେ ଶିବରାତ୍ରି ପୂଜା କରିବେ। ଏହା ସହିତ ମୁସଲମାନମାନେ ମଧ୍ୟ ଏଠାରେ ନମାଜ ପାଠ କରିବେ। ୱାକଫ ଟ୍ରିବ୍ୟୁନାଲ ଶୁକ୍ରବାର ଏଥିପାଇଁ ଅନୁମତି ଦେଇଥିଲେ। ଗତଥର ଏଠାରେ ହିଂସାତ୍ମକ ଘଟଣା ଘଟିଥିଲା। ଏ ସମ୍ପର୍କରେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଡେପୁଟି କମିଶନର ଯଶବନ୍ତ ଗୁରୁକରଙ୍କ ଅନୁଯାୟୀ, ଶନିବାର ଦିନ ଉର୍ସ ପର୍ବ ପାଇଁ ମୁସଲମାନମାନଙ୍କୁ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିବାବେଳେ ଶିବରାତ୍ରି ପୂଜା ପାଇଁ ହିନ୍ଦୁମାନଙ୍କୁ ଅପରାହ୍ନ ୨ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି।

ଏଣ୍ଡୋଲା ମଠର ସିଦ୍ଧଲିଙ୍ଗ ସ୍ବାମୀ ଏବଂ ହିନ୍ଦୁ ସମ୍ପ୍ରଦାୟର ଅନ୍ୟ ୧୪ ଜଣଙ୍କୁ ଦରଗାହ ଭିତରେ ପୂଜା କରିବାକୁ ଅନୁମତି ଦିଆଯାଇଛି।

ପୋଲିସ ଅଧୀକ୍ଷକ ଇଶା ପନ୍ତ କହିଛନ୍ତି ଯେ ସ୍ଥାନୀୟ ଅଞ୍ଚଳର ଦୁଇ କିଲୋମିଟର ଦୂରତା ମଧ୍ୟରେ ୧,୦୫୦ ପାଲିସଙ୍କୁ ମୁତୟନ କରାଯାଇଛି। ଏହା ବ୍ୟତୀତ ୧୨ ଟି ଚେକ ପୋଷ୍ଟ ପ୍ରତିଷ୍ଠା କରାଯାଇଛି। ଏହି ଅଞ୍ଚଳରେ ପ୍ରବେଶ କରୁଥିବା ଯାନଗୁଡିକର ଯାଞ୍ଚ୍‌ କରାଯାଉଛି। ୱାକଫ ଟ୍ରିବ୍ୟୁନାଲ ଅନୁଯାୟୀ ସା ୬ ଟା ପରେ କାହାକୁ ଦରଗାହ ପରିଦର୍ଶନ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପୋଲିସ କଡା ନିର୍ଦ୍ଦେଶ ଜାରି କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚତୁର୍ଦ୍ଦଶ ଶତାବ୍ଦୀର ସୁଫି ସନ୍ଥଙ୍କ ନାମରେ ଏହି ଦରଗାହର ନାମକରଣ କରାଯାଇଛି। ଯିଏ ତାଙ୍କର ଦାର୍ଶନିକ ଦୃଷ୍ଟିକୋଣ ପାଇଁ ପ୍ରସିଦ୍ଧ ଥିଲେ। ୧୫ ଶତାବ୍ଦୀର ସାଧୁ ରାଘବ ଚୈତନ୍ୟଙ୍କ ସମାଧି ମଧ୍ୟ ଏଠାରେ ଅଛି। ଏଠାରେ ଭଗବାନ ଶିବଙ୍କର ଏକ ପ୍ରାଚୀନ ମନ୍ଦିର ମଧ୍ୟ ଅଛି। ବହୁ ବର୍ଷ ଧରି ମୁସଲମାନ ଏବଂ ହିନ୍ଦୁମାନଙ୍କ ପାଇଁ ଏହା ଏକ ସାଧାରଣ ପୂଜାପାଠ ସ୍ଥଳ ହୋଇଆସୁଛି।

ତେବେ ୨୦୨୧ ମସିହାରେ, ଏହି ଦରଗାହକୁ ନେଇ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଥିଲା। ଅଭିଯୋଗ ହୋଇଥିଲା ଯେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ ଶିବଲିଙ୍ଗଙ୍କୁ ଅପମାନିତ କରିଥିଲେ।

Share