ଯେମିତି ଭଗବାନ ରାମ ରାବଣକୁ ହରାଇଥିଲେ ଆମେ ସେମିତି ଦୀପାବଳିରେ କରୋନାକୁ ହରାଇବୁ: ଜନସନ

ଲଣ୍ଡନ,୮ ।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯେମିତି ଭଗବାନ ରାମ ରାବଣକୁ ହରାଇ ପତ୍ନୀ ସୀତାଙ୍କ ସହ ଫେରିବା ସମୟରେ ଲକ୍ଷ ଲକ୍ଷ ଦୀପ ମାଧ୍ୟମରେ ତାଙ୍କର ସ୍ୱାଗତ କରାଯାଇଥିଲା, ଠିକ୍ ସେହିଭଳି ଭାବେ ଚଳିତ ବର୍ଷ ଦୀପାବଳିରେ ଆମେ କରୋନା ଯୁଦ୍ଧରେ ବିଜୟୀ ହେବୁ । ଜନସନ କହିଛନ୍ତି ସୁରକ୍ଷିତ ଦୀପାବଳି ପାଳନ କରିବାକୁ ଭାରତୀୟମାନେ ବହୁକିଛି ତ୍ୟାଗ କରିଛନ୍ତି । ଆଉ କରୋନା ଭଳି ମହାମାରୀ ସହ ଲଢିବାକୁ ପ୍ରଶାସନକୁ ସହଯୋଗ ମଧ୍ୟ କରିଛନ୍ତି । ତେବେ ଯେଉଁମାନେ ପ୍ରିୟ ପରିଜନଙ୍କଠାରୁ ଦୂରରେ ରହିଛନ୍ତି ସେମାନେ ଭର୍ଚୁଆଲ ଦୀପାବଳି ପାଳନ କରିବା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା । କରୋନା ସହ ଲଢିବା ଓ ବିଜୟଲାଭ କରିବା ଏକ ବଡ ଚ୍ୟାଲେଞ୍ଚ । ହେଲେ ମୋତେ ଲୋକଙ୍କ ସଂକଳ୍ପ ଶକ୍ତି, ଲଢିବାର କ୍ଷମତା ଓ ବୁଝିବାର ଶକ୍ତି ଉପରେ ଭରସା ରହିଛି । ତେଣୁ ଖୁବ୍‌ଶୀଘ୍ର ଆମେ ଏହି ମହାମାରୀଠାରୁ ବିଜୟଲାଭ କରିବୁ । ଠିକ୍ ସେହିଭଳି ସେମିତି ଦୀପାବଳିରେ ରାବଣକୁ ପରାଜୟ କରି ରାମ ବିଜୟ ଲାଭ କରିଥିଲେ ଅସତ୍ୟ ଉପରେ ସତ୍ୟର, ଅଜ୍ଞାନ ଉପରେ ଜ୍ଞାନର ବିଜୟ ହୋଇଥିଲା । ସୂଚନାଯୋଗ୍ୟ, ବ୍ରିଟେନରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ୪ ସପ୍ତାହ ପାଇଁ ଲକଡାଉନ ଘୋଷଣା କରିଛନ୍ତି ।

Share