ପ୍ରଧାନମନ୍ତ୍ରୀ ଦୌଡ଼ରେ ବୋରିସ ଜନସନ, ଫେରିଲେ ଲଣ୍ଡନ…

ଲଣ୍ଡନ,୨୨।୧୦ : ବ୍ରିଟେନରେ ନୂତନ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ଆସନ୍ତା ଶୁକ୍ରବାର ଅନୁଷ୍ଠିତ ହୋଇପାରେ। ମୂଳ ଭାରତୀୟ ଋଷି ସୁନାକ ନୂତନ ପ୍ରଧାନମନ୍ତ୍ରୀ ପଦ ପାଇଁ ଟୋରୀ ସାଂସଦଙ୍କ ପ୍ରଥମ ପସନ୍ଦ ବୋଲି କୁହାଯାଉଛି। ତେବେ ଏହି ସମୟ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ହଠାତ ଦୌଡ଼ରେ ସାମିଲ ହୋଇଛନ୍ତି। ଖବର ଅନୁଯାୟୀ, ଛୁଟି କାଟିବା ପରେ ଜନସନ ଶନିବାର ଲଣ୍ଡନ ଫେରିଛନ୍ତି। ସେ ପ୍ରଧାନମନ୍ତ୍ରୀ ପାଇଁ ଦାବି ଉପସ୍ଥାପନ କରିବେ ବୋଲି ଚର୍ଚ୍ଚା ହେଉଛି।

ଜନସନ ଦାବି କରିଛନ୍ତି, କେବଳ ମୁଁ ହିଁ ପରାଜୟରୁ ରକ୍ଷା କରିପାରିବି। ରାଜନୈତିକ ଅସ୍ଥିରତା ମଧ୍ୟରେ ବୋରିସ ଜନସନ କହିଛନ୍ତି ଯେ ଡିସେମ୍ବର ୨୦୨୪ ନିର୍ବାଚନରେ ସେ କେବଳ ଦଳକୁ ପରାଜୟରୁ ବଞ୍ଚାଇ ପାରିବେ। ସଂସଦରେ ବହୁମତ ହାସଲ କରିଥିବା ଶାସକ ଦଳର ଲୋକପ୍ରିୟତା ହ୍ରାସ ପାଉଥିବାରୁ ବିରୋଧୀ ଦଳ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଦାବି କରିଆସୁଛନ୍ତି। କୁହାଯାଇଛି ଯେ ବୋରିସ ଜନସନ ବର୍ତ୍ତମାନ ଋଷି ସୁନାକଙ୍କୁ ତାଙ୍କୁ ସମର୍ଥନ କରିବା ଏବଂ  କ୍ଷମତାକୁ ଫେରିବା ପାଇଁ ଚାପ ପକାଉଛନ୍ତି। ଆସନ୍ତା ସପ୍ତାହରେ ଦଳର ନେତୃତ୍ୱର ନିର୍ବାଚନ ହେବ। ଯାହା ଉପରେ ଶୁକ୍ରବାର ସୁଦ୍ଧା ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି।

Share