Categories: ଜାତୀୟ

ବୁଲ୍‌ଡୋଜର ବିବାଦରେ ବୋରିସ୍‌

ନୂଆଦିଲ୍ଲୀ,୨୩ା୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଦୁଇଦିନିଆ ଭାରତ ଗସ୍ତରେ ଆସି ବୁଲ୍‌ଡୋଜର ବିବାଦରେ ଫସିଛନ୍ତି। ବୋରିସ୍‌ ଗୁରୁବାର ଗୁଜରାଟ ବଡ଼ୋଦରାର ହଲୋଲ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ରେ ବ୍ରିଟିଶ୍‌ କନ୍‌ଷ୍ଟ୍ରକ୍ସନ କମ୍ପାନୀ ଜେସିବିର ଫ୍ୟାକ୍ଟି ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ ଉକ୍ତ କମ୍ପାନୀ ପକ୍ଷରୁ ନିର୍ମିତ ବୁଲ୍‌ଡୋଜରରେ ଚଢ଼ି ଫଟୋ ପୋଜ୍‌ ଦେଇଥିଲେ। ଦିଲ୍ଲୀର ଜାହାଙ୍ଗୀରପୁରୀ ସମେତ ଭାଜପା ଶାସିତ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ତଥାକଥିତ ଦଙ୍ଗା ଅଭିଯୁକ୍ତଙ୍କୁ ସାବାଡ଼ କରିବା ପାଇଁ ସେମାନଙ୍କ ଘରେ ବୁଲ୍‌ଡୋଜର ଚଢ଼ାଯାଉଥିବାବେଳେ ବୋରିସ୍‌ଙ୍କ ବୁଲ୍‌ଡୋଜର ଫଟୋ ଭାଇରାଲ ହୋଇଛି।
୧୬ରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ପାଳନ ଉପଲକ୍ଷେ ଶୋଭାଯାତ୍ରା ବେଳେ ଏକ ମସ୍‌ଜିଦ ନିକଟରେ ଟେକାମାଡ଼ ହୋଇଥିଲା। ଗୁଳି ମଧ୍ୟ ଫୁଟିଥିଲା। ଏଥିରେ ଏହାକୁ ନେଇ ଉଠିଥିବା ସାମ୍ପ୍ରଦାୟିକ ହିଂସା ନ ଥମୁଣୁ ୨୦ ତାରିଖରେ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନ୍‌ଡିଏମ୍‌ସି) ପକ୍ଷରୁ ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦ କରାଯାଉଥିଲା। ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ସତ୍ତ୍ୱେ ବୁଲ୍‌ଡୋଜର ଲଗାଇ କେତେକ ନିର୍ମାଣକୁ ଭାଙ୍ଗିଦିଆଯାଇଥିଲା। ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବା ପାଇଁ ବୁଲ୍‌ଡୋଜର ବ୍ୟବହାର କରାଯାଉଥିବା ଜାମିଆତ୍‌ ଉଲେମା-ଇ-ହିନ୍ଦ୍‌ ଅଭିଯୋଗ ଆଣିଛି। ଜବରଦଖଲ ଉଚ୍ଛେଦ ଭାଜପାର ଏକ ସାମ୍ପ୍ରଦାୟିକ ତଥା ରାଜନୈତିକ ଷଡ଼ଯନ୍ତ୍ର। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଘରେ ବୁଲ୍‌ଡୋଜର ଚଢ଼ାଇଲେ ଦେଶ ସାମ୍ପ୍ରଦାୟିକ ଦଙ୍ଗାରୁ ମୁକ୍ତ ହେବ ବୋଲି ବିରୋଧୀ ସମାଲୋଚନା କରିଛନ୍ତି। ୨୧ ତାରିଖରେ ସୁପ୍ରିମକୋର୍ଟ ସମ୍ପୃକ୍ତ ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଏନ୍‌ଡିଏମ୍‌ସିକୁ ନିର୍ଦ୍ଦେଶ ଦେଇଥିବାବେଳେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବଡ଼ୋଦରାରେ ବୁଲ୍‌ଡୋଜର ଚଢ଼ି ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଜେସିବି ଫ୍ୟାକ୍ଟ୍ରି ପରିଦର୍ଶନକୁ ‘ଅଜ୍ଞତା’ ବୋଲି ଟୁଇଟ୍‌ କରିଛି। ଭାରତୀୟ ଅଧିକାରୀମାନେ ମାନବାଧିକାର ହନନ କରୁଥିବାବେଳେ ବ୍ରିଟେନ ନୀରବଦଷ୍ଟ୍ରା ସାଜି ରହିପାରିବ ନାହିଁ। ବୁଲ୍‌ଡୋଜର ପ୍ରସଙ୍ଗରେ ବ୍ରିଟେନ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଅନ୍ୟ ଏକ ଟୁଇଟ୍‌ରେ ସଂସ୍ଥା ପକ୍ଷରୁ କୁହାଯାଇଛି।

Share