Categories: ଜାତୀୟ

ସୀମାରେ ସମରାଭ୍ୟାସ

ନୂଆଦିଲ୍ଲୀ,୧୬।୧୨(ପି.ଟି.):ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ସୀମାକୁ ନେଇ ଚାଇନା ସହ ସାନି ଉତ୍ତେଜନା ଦେଖାଦେଇଥିବାବେଳେ ଭାରତୀୟ ବାୟୁସେନା ଗୁରୁବାର ଉତ୍ତରପୂର୍ବାଞ୍ଚଳରେ ମେଗା ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ଏହି ଦୁଇଦିନିଆ ସମରାଭ୍ୟାସରେ ବାୟୁସେନାର ସମସ୍ତ ଆଗଧାଡ଼ିର ଯୁଦ୍ଧବିମାନ ଏବଂ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ପ୍ରଦର୍ଶନ କରାଯିବ। ଭାରତକୁ ବର୍ତ୍ତମାନ ସୁଦ୍ଧା ୩୬ଟି ରାଫାଲ ଜେଟ୍‌ ମିଳିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୮ଟି ଜେଟ୍‌କୁ ହାସିମାରାସ୍ଥିତ ଇଷ୍ଟର୍ନ ଏୟାର କମାଣ୍ଡର ୧୦୧ ସ୍କ୍ବାଡ୍ରନ୍‌ରେ ସାମିଲ କରାଯାଇଛି। ୧୮ ଜେଟ୍‌ ସହ ପ୍ରଥମ ରାଫାଲ ସ୍କ୍ବାଡ୍ରନ୍‌ ଅମ୍ବାଲା ଏୟାରବେସ୍‌ରେ ରହିଛି। ସମରାଭ୍ୟାସରେ ରାଫାଲ ଜେଟ୍‌ର ଦ୍ୱିତୀୟ ସ୍କ୍ବାଡ୍ରନ୍‌ ସହ ଇଷ୍ଟର୍ନ ଏୟାର କମାଣ୍ଡ ଅଧୀନରେ ଥିବା ସୁଖୋଇ-୩୦ଏମ୍‌କେଆଇ ଯୁଦ୍ଧବିମାନ ସାମିଲ ହୋଇଛି।
ଯୁଦ୍ଧାଭ୍ୟାସ ଲାଗି ବହୁ ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇଥିଲା। ତାଓ୍ବାଙ୍ଗ ସେକ୍ଟରରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ସହ ଯୁଦ୍ଧାଭ୍ୟାସର କୌଣସି ସମ୍ପର୍କ ନ ଥିବା ଜଣେ ବାୟୁସେନା ଅଧିକାରୀ କହିଛନ୍ତି। ଗତ ୯ ତାରିଖରେ ଅରୁଣାଚଳର ତାଓ୍ବାଙ୍ଗ ସେକ୍ଟରରେ ଭାରତୀୟ ଓ ଚାଇନା ସୈନ୍ୟ ମୁହାଁମୁହିଁ ହୋଇଥିବା ଖବର ସୋମବାର ପ୍ରକାଶ ପାଇଥିଲା। ସଂଘର୍ଷ ଯୋଗୁ ଉଭୟ ପକ୍ଷର କେତେଜଣ ସୈନ୍ୟ ଆହତ ହୋଇଥିଲେ। ପୂର୍ବ ଲଦାଖରେ ଦୁଇ ପକ୍ଷ ମଧ୍ୟରେ ଦୀର୍ଘ ୩୦ ମାସର ମୁହାଁମୁହିଁ ସ୍ଥିତି ପରେ ଏହା ଥିଲା ପ୍ରଥମ ସଂଘର୍ଷ।
ସମରାଭ୍ୟାସରେ ଉତ୍ତରପୂର୍ବାଞ୍ଚଳର ସମସ୍ତ ଫ୍ରଣ୍ଟଲାଇନ ଏୟାରବେସ୍‌ ଏବଂ କେତେକ ପ୍ରମୁଖ୍ୟ ଆଡଭାନ୍ସଡ୍‌ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ସାମିଲ ହେବେ। ପୂର୍ବ ଲଦାଖ ବିବାଦ ପରେ ଦୁଇବର୍ଷ ହେଲା ଏଲ୍‌ଏସି ଅନ୍ତର୍ଗତ ଅରୁଣାଚଳ ପ୍ରଦେଶ ଏବଂ ସିକିମ୍‌ ସେକ୍ଟରରେ ସ୍ଥଳସେନା ଓ ବାୟୁସେନା ପକ୍ଷରୁ ଯୁଦ୍ଧ ପ୍ରସ୍ତୁତିକୁ ଜୋର୍‌ଦାର କରାଯାଇଛି। ଗତ ସପ୍ତାହରେ ଏଲ୍‌ଏସିରେ ଚାଇନା ଡ୍ରୋନ୍‌ଗୁଡ଼ିକ ବାରମ୍ବାର ପଇଁତରା ମାରିବା ପରେ ଭାରତୀୟ ବାୟୁସେନାର ବିମାନଗୁଡ଼ିକ ଏହାକୁ ପିଛା କରିଥିଲା। ଚାଇନା ଉକ୍ତ ଅଞ୍ଚଳରେ ଡ୍ରୋନ୍‌ ସମେତ ଯୁଦ୍ଧବିମାନ ମୁତୟନ କରିଥିଲା। ଗତ ୯ ତାରିଖରେ ଚାଇନା ତାଓ୍ବାଙ୍ଗର ୟାଙ୍ଗ୍‌ସେ ଅଞ୍ଚଳରେ ସ୍ଥିତାବସ୍ଥାକୁ ଏକପାଖିଆ ଭାବେ ବଦଳାଇବାକୁ ଉଦ୍ୟମ କରିଥିଲା। ତେବେ ସେମାନଙ୍କ ଉଦ୍ୟମକୁ ଭାରତୀୟ ଯବାନମାନେ ସାହସିକତାର ସହ ପଣ୍ଡ କରିଦେଇଥିବା ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାର୍ଲାମେଣ୍ଟକୁ କହିଥିଲେ।

Share