୭ ଜିଲାରେ ସୀମା ବିବାଦ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): କୋରାପୁଟ ଜିଲାର କୋଟିଆ ସମେତ ରାଜ୍ୟର ସୀମା ବିବାଦକୁ ନେଇ ବିରୋଧୀ ସରକାରଙ୍କୁ ସଣ୍ଢୁଆଶି ଆକ୍ରମଣ କରିଛନ୍ତି। ସରକାରଙ୍କ ଅପରିଣାମଦର୍ଶିତା ପାଇଁ ରାଜ୍ୟର ଗୋଟିଏ ପରେ ଗୋଟିଏ ସୀମାବର୍ତ୍ତୀ ଗ୍ରାମ ହାତରୁ ଚାଲିଯାଉଛି। ସେହି ଗ୍ରାମଗୁଡିକ ଉପରେ ସରକାରଙ୍କ ନଜର ନାହିଁ। ବିକାଶ ଅପହଞ୍ଚ ହୋଇଛି। ବୁଧବାର ବିଧାନସଭାରେ ଓଡ଼ିଶା ସୀମା ବିବାଦ ସମ୍ପର୍କିିତ ମୁତଲବୀ ପ୍ରସ୍ତାବ ଆଣି ବିରୋଧୀ ସରକାରଙ୍କ ଉପରେ ବର୍ଷିଥିଲେ। ଏହି ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନିଜେ କୋଟିଆ ଗସ୍ତ କରନ୍ତୁ। ସର୍ବଦଳୀୟ ବୈଠକ ଡକାଯାଉ। ଦଳଗତ ନିର୍ବିଶେଷରେ ସମସ୍ତେ ସେଠାକୁ ଚାଲନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି।
ମୁଲତବୀ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, ୪ ରାଜ୍ୟ ସହିତ ଓଡ଼ିଶାର ୯୬ ଗ୍ରାମର ସୀମା ବିବାଦ ରହିଛି। ଆନ୍ଧ୍ର ସରକାର ଓଡ଼ିଶାରେ ପ୍ରବେଶ କରି ଜବରଦସ୍ତ କୋଟିଆରେ ନିର୍ବାଚନ କରାଉଛନ୍ତି। ଆନ୍ଧ୍ର ସରକାର କୋଟିଆରେ ୨୨୫୦ ଟଙ୍କା ଭତ୍ତା ଦେଉଥିବା ବେଳେ ରାସ୍ତା, ବିଦ୍ୟୁତ୍‌, ପାନୀୟ ଜଳ ବ୍ୟବସ୍ଥା କରିଛନ୍ତି। ତେଣୁ ଲୋକମାନେ ଆନ୍ଧ୍ର ମୁହଁାହେବା ସ୍ବାଭାବିକ। ସରକାର ପାନୀୟ ଜଳ ଯୋଗାଇ ପାରୁନାହାନ୍ତି। ସ୍କୁଲକୁ ଶିକ୍ଷକ ଦେଇ ପାରୁନାହାନ୍ତି। କୋଟିଆ ଅଞ୍ଚଳରେ ଲୋକମାନେ ଆମ ଭାଷା ବୁଝୁନାହାନ୍ତି। ସେହି ଅଞ୍ଚଳର ସୀମା ସୁରକ୍ଷିତ ନାହିଁ। ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ସେ କହିଛନ୍ତି। ଭାଜପା ସଭ୍ୟ ମୋହନ ମାଝି କହିଲେ, କୋଟିଆ ଆମ ପାଖରେ ଆଉ ନାହିଁ। ରାଜ୍ୟର ପ୍ରାୟ ୧୦୦ ଗ୍ରାମ ସୀମା ବିବାଦରେ ରହିଛି। ସରକାରଙ୍କ ଅଦୂରଦର୍ଶିତା ଯୋଗୁ ସୀମାବର୍ତ୍ତୀ ଗ୍ରାମ ଓଡ଼ିଶା ହାତରୁ ଚାଲିଯାଉଛି। କୋଟିଆ ଅଞ୍ଚଳକୁ ସଚିବ, ମୁଖ୍ୟ ଶାସନ ସଚିବ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କେତେଥର ଯାଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ପାର୍ଟି ପାଇଁ ସମୟ ଅଛି, ମାଟି ପାଇଁ ନାହିଁ। ସୁନ୍ଦରଗଡ଼, କଳାହାଣ୍ଡିରେ ଶହ ଶହ ଶାସକ ଦଳ ନେତା ଓ ମନ୍ତ୍ରୀ ଡେରା ପକାଇଲେ, କୋଟିଆକୁ ଜଣେ ହେଲେ ଯାଉନାହାନ୍ତି। ସତେ ଯେମିତି ଭାରତର ସୀମାକୁ ପାକିସ୍ତାନ କବ୍‌ଜା କରିନେଇଛି। ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ଦିଅନ୍ତୁ। ସମସ୍ତେ ଏକ ହୋଇ ଲଢିଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ମାଝି କହିଛନ୍ତି। ଭାଜପା ସଭ୍ୟ ଜୟନାରାୟଣ ମିଶ୍ର କହିଥିଲେ, ସରକାର ଠିକ୍‌ ସମୟରେ ପଦକ୍ଷେପ ନେଇଥିଲେ ଏପରି ଅବସ୍ଥା ହୋଇ ନ ଥାଆନ୍ତା। ରାୟଗଡ, ସରେଇ ପାଲି ଛାଡ଼ି ଦେଲେ। ସରକାର ଯେତିକି ସତର୍କ ହେବା କଥା ସେତିକି ହେଉନାହାନ୍ତି। ଦଳଗତ ନିର୍ବିଶେଷରେ ଗୃହରେ ଏ ନେଇ ଏକ ସଂକଳ୍ପ ଆଣିବା ଦରକାର। ସୀମାବର୍ତ୍ତୀ ଗ୍ରାମଗୁଡିକୁ ଉପଜିଲାପାଳ ପ୍ରତ୍ୟେକ ମାସରେ ଯାଇ ସେମାନଙ୍କର ଅସୁବିଧା ବୁଝିବା ଦରକାର ବୋଲି ସେ ପରାମର୍ଶ ଦେଇଥିଲେ। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଲେ, ପଟ୍ଟାଙ୍ଗୀରେ ଦେଢ଼ ବର୍ଷ ପର୍ଯ୍ୟନ୍ତ ତହସିଲଦାର ନ ଥିଲେ। କୋଟିଆ ଅଞ୍ଚଳର ଆଦିବାସୀମାନେ ଜାତିଗତ ପ୍ରମାଣପତ୍ର ପାଇଁ ମାସ ମାସ ଧରି ଅପେକ୍ଷା କରୁଥିଲେ। ସେମାନେ ଆନ୍ଧ୍ରରୁ ଦିନେ ଦୁଇଦିନରେ ସାର୍ଟିଫିକେଟ ପାଇ ଯାଉଛନ୍ତି। ଆନ୍ଧ୍ର ସରକାର ସେଠାରେ ଭୋଟ କରୁଛନ୍ତି, ଓଡ଼ିଶା ପୋଲିସ କ’ଣ କରୁଛି। ହାଇଦ୍ରାବାଦ ଲୋକ ସେଠାରେ ୪୦ ଏକର ଜମି କିଣିଲେଣି। ସେଠାକୁ ମୁଖ୍ୟମନ୍ତ୍ରୀ ଯାଇ ସର୍ବଦଳୀୟ ବୈଠକ କରନ୍ତୁ ବୋଲି ସେ ଦାବି କରିଛନ୍ତି। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କହିଥିଲେ, ଭୋଟ ବେଳେ ଜିଲାପାଳ, ପୋଲିସ , ମୁଖ୍ୟ ଶାସନ ସଚିବ କ’ଣ କରୁଥିଲେ। ମୁଖ୍ୟମନ୍ତ୍ରୀ କ’ଣ କରୁଥିଲେ। କେବଳ କୋଟିଆ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଜିଲା ଗଞ୍ଜାମରେ ସ୍ଥିିତି ଭୟଙ୍କର ହେଲାଣି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆମେ ସମସ୍ତେ ସେଠାକୁ ଯିବା। ସମସ୍ୟାର ସମାଧାନ କରିବା ବୋଲି ସେ କହିଥିଲେ। ବିଜେଡି ସଭ୍ୟ କିଶୋର ମହାନ୍ତି, ଅନନ୍ତ ଦାସ, ମନୋହର ରାନ୍ଧାରୀ, ପ୍ରକାଶ ମାଝି ପ୍ରମୁଖ କୋଟିଆରେ ସରକାର କରିଥିବା ବିକାଶର ଗୁଣଗାନ କରିଥିଲେ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି କରି କୋଟିଆ ଯିବାକୁ ଅନନ୍ତ ପ୍ରସ୍ତାବ ଦେଇଛନ୍ତି।
ବିରୋଧୀଙ୍କ ମୁଲତବୀ ଆଲୋଚନାର ଜବାବରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ଓଡ଼ିଶାର ୧୪ ଜିଲା ପଡୋଶୀ ରାଜ୍ୟ ଆନ୍ଧ୍ର, ଛତିଶଗଡ ଏବଂ ଝାଡଖଣ୍ଡର ସୀମାକୁ ଲାଗିଛି। ସେହି ଜିଲାଗୁଡିକ ହେଲା ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ। ପଡୋଶୀ ରାଜ୍ୟ ସହିତ ୭ ଜିଲାର ସୀମା ବିବାଦ ରହିଛି। ସେହି ଜିଲାଗୁଡିକ ହେଲା କୋରାପୁଟ, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ ନୂଆପଡ଼ା। କୋରାପୁଟର ଜିଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ଗଞ୍ଜେଇପଦର, ଫଗୁଣସିନେରି ଓ ଫଟୁସିନେରି ଗ୍ରାମରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ୨୦୨୧ ଫେବୃୟାରୀ ୨ରେ ଜିଲାପାଳ ପଟ୍ଟାଙ୍ଗୀ ତହସିଲଦାରଙ୍କଠାରୁ ରିପୋର୍ଟ ପାଇଥିଲେ। ଜିଲାପାଳ ୩ ତାରିଖରେ ବିଭାଗକୁ ଜଣାଇଥିଲେ ଯେ, ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଗଞ୍ଜେଇପଦର ଓ ଫଗୁଣସିନେରିରେ ବିନା ପ୍ରତିନ୍ଦ୍ୱନ୍ଦ୍ୱିତାରେ ହୋଇଥିବାବେଳେ ଫଟୁସିନେରିରେ ଫେବୃୟାରୀ ୧୩ରେ ନିର୍ବାଚନ ହେବ। ଏ ଖବର ପାଇବା ପରେ ରାଜ୍ୟ ସରକାର ତୁରନ୍ତ ଆଡଭୋକେଟ୍‌ ଜେନେରାଲଙ୍କ ସହ ବିଚାରବିମର୍ଶ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିବାକୁ କୋରାପୁଟ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟରେ ଫେବୃୟାରୀ ୧୦ରେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ଦାଏର କରାଯାଇଥିଲା। ସର୍ବୋଚ୍ଚ ଅଦାଲତ ମାମଲାକୁ ଗ୍ରହଣ କରିବା ସହ ଫେବୃୟାରୀ ୧୨ରେ ଆନ୍ଧ୍ର ପ୍ରଦେଶକୁ ଜବାବ ଦାଖଲ କରିବାକୁ ନୋଟିସ କରିଥିଲେ। ଆନ୍ଧ୍ର ସରକାର ୧୭ ତାରିଖରେ ସତ୍ୟପାଠ ଦାଖଲ କରିଛନ୍ତି। ଏହାର ଶୁଣାଣି ୧୯ ତାରିଖରେ ହୋଇସାରିଛି। ପ୍ରତି ଜବାବ ଦାଖଲ କରିବା ପାଇଁ ରାଜ୍ୟ ସରକାର ୪ ସପ୍ତାହ ମାଗିଛନ୍ତି। କୋରାପୁଟ ଜିଲାପାଳଙ୍କ ସୂଚନା ଅନୁଯାୟୀ, ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଫଟୁସିନେରି ଗ୍ରାମରେ ନିର୍ମାଣାଧୀନ ଏକ ଚର୍ଚ୍ଚରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ୧୦୨୫ ମତଦାତାଙ୍କ ମଧ୍ୟରୁ ୬୧୫ ଜଣ ଭୋଟ ଦେଇଛନ୍ତି। ସରକାର ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି। ୨୦୦୬ ମାର୍ଚ୍ଚ ୩ରେ ସୁପ୍ରିମକୋର୍ଟ ଆନ୍ଧ୍ର ବିରୋଧରେ ଦାଏର କରାଯାଇଥିବା ମାମଲାର ରାୟ ଶୁଣାଇଥିଲେ ଯେ, ୧୯୬୮ ଡିସେମ୍ବର ୨ରେ ରାଜ୍ୟ ହାଇକୋର୍ଟ ଅନ୍ତରୀଣ ରାୟ ମୁତାବକ ସ୍ଥିତାବସ୍ଥା କାଏମ ରଖିବେ। ତେବେ ଆନ୍ଧ୍ର ସରକାର ଏହି ଆଦେଶର ଉଲ୍ଲଂଘନ କରିଥିବାରୁ ରାଜ୍ୟ ସରକାର ଅଦାଲତ ଅବମାନନା ମାମଲା ଦାଏର କରିଛନ୍ତି। ରାଜ୍ୟ ସରକାର କୋଟିଆରେ ସବୁ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି। ଏଥିନିମନ୍ତେ ୨୦୧୯ ନଭେମ୍ବର ୨୫ରେ ରାଜସ୍ବ ପର୍ଷଦ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଛି। ନିକଟରେ ମୁଖ୍ୟମନ୍ତ୍ରୀ କୋଟିଆ ଅଞ୍ଚଳ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ପଶ୍ଚିମବଙ୍ଗ ସହିତ ବାଲେଶ୍ୱର ଜିଲାର ସାହାବାଜପୁର, ବିଳାସପୁର, ଗୋପାଳପୁର, ମାଙ୍କଡିଆ, କୁଅଁରପୁର, ତୋଟାପଡ଼ା, ବେହେରାସାହି, ପ୍ରହରାଜପୁର, ଦକ୍ଷିଣ ପ୍ରହରାଜପୁର ଓ ମକରମପୁର ଗ୍ରାମ ବିବାଦ ରହିଛି। ରାଜ୍ୟ ସରକାର ସୀମା ଚିହ୍ନଟ ପାଇଁ ୨୦୨୦ ମାର୍ଚ୍ଚ ୧୩ରେ ଏକ ସର୍ଭେ କମିଟି ଗଠନ କରିଛନ୍ତି। ଓରସାକ ସହାୟତାରେ ଗ୍ରାଉଣ୍ଡ କଣ୍ଟ୍ରୋଲ ପଏଣ୍ଟ ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ମୟୂରଭଞ୍ଜ ଜିଲାର ୪ ଗ୍ରାମର ବିବାଦ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ଗଞ୍ଜାମ ସହ ୫୩ ଗ୍ରାମକୁ ନେଇ ଆନ୍ଧ୍ର ସହ ବିବାଦ ରହିଛି। ଗଜପତି ଜିଲା ସହ ଆନ୍ଧ୍ରର ୧୬ ଗ୍ରାମକୁ ନେଇ ବିବାଦ ରହିଛି। ଜିଲା ପ୍ରଶାସନ ବିବାଦର ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି। ଝାଡ଼ଖଣ୍ଡ ସିଂହଭୂମ ଜିଲାର ତାଟିବା, ଭଣଗାଁ, ବଣେଇକଳା, ସିଲିଯୋଡ଼ା, ବଡ଼ପୋଷି , ମୋଚିଗାଁ ଓ ଜୟନ୍ତୀଗଡ଼ ସହିତ ଓଡ଼ିଶାର କେନ୍ଦୁଝର ଜିଲାର ବଡବିଲ ତହସିଲର ପୁରୁଷୋତ୍ତମପୁର କଙ୍କଡାପାଟ, ଜଗନ୍ନାଥପୁର ଏବଂ ଚମ୍ପୁଆର ସୀମା ବିବାଦ ରହିଛି। ଛତିଶଗଡ଼ର ବୁର୍ଜାବାହଲ ଗ୍ରାମ ସହିତ ନୂଆପଡ଼ା ଜିଲା ନୂଆମାଲପଡ଼ା ସହ ସୀମା ବିବାଦ ରହିଛି ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି। ଏହି ବିବାଦ ଖାଲି ସରକାରଙ୍କର ନୁହେଁ, ଦଳଗତ ନିର୍ବିଶେଷରେ ସମସ୍ତଙ୍କର। ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଥିଲେ। ଏହାକୁ ବିରୋଧୀ କରି କଂଗ୍ରେସ ଓ ଭାଜପା ସଦସ୍ୟମାନେ ବିଧାନସଭା କକ୍ଷ ଛାଡି ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri