Categories: ଖେଳ

ବେଙ୍ଗାଲୁରୁରେ ବିଦାୟୀ ମ୍ୟାଚ ଚାହାନ୍ତି ବୋପାନ୍ନା

ନୂଆଦିଲ୍ଲୀ, ୨୨।୬ (ପି.ଟି.): ଭାରତର ଶୀର୍ଷସ୍ଥାନୀୟ ଡବଲ୍ସ ଟେନିସ ତାରକା ରୋହନ ବୋପାନ୍ନା ଆସନ୍ତା ସେପ୍ଟେମ୍ବରରେ ଡେଭିସ୍‌ କପ୍‌ କ୍ୟାରିୟର ଶେଷ କରିବେ। ମରକ୍କୋ ବିପକ୍ଷରେ ସେ ବିଦାୟକାଳୀନ ମ୍ୟାଚ ଖେଳିବେ ବୋଲି ବୁଧବାର ସୂଚନା ଦେଇଛନ୍ତି। ତେବେ ବେଙ୍ଗାଲୁରୁଠାରେ କ୍ୟାରିୟରର ଶେଷ ଡେଭିସ୍‌ କପ୍‌ ମ୍ୟାଚ ଖେଳିବାକୁ ଏହି କର୍ନାଟକ ଖେଳାଳି ଯେଉଁ ଇଚ୍ଛା ପ୍ରକାଶ କରିଛନ୍ତି ତାହା ଅପୂରଣୀୟ ରହିପାରେ। କାରଣ ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ) ଡେଭିସ୍‌ କପ୍‌ ଆୟୋଜନ ଅଧିକାର ଉତ୍ତର ପ୍ରଦେଶକୁ ଦେଇ ସାରିଛି। ଆସନ୍ତା ସେପ୍ଟେମ୍ବରରେ ଭାରତ ଓ ମରକ୍କୋ ମଧ୍ୟରେ ଓ୍ବାଲର୍‌ଡ ଗ୍ରୁପ୍‌-୨ ମୁକାବିଲା ହେବ। ୨୦୦୨ରେ ଡେଭିସ୍‌ କପ୍‌ କ୍ୟାରିୟର ଆରମ୍ଭ କରିଥିବା ବୋପାନ୍ନା ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ”ମୁଁ ସେପ୍ଟେମ୍ବରରେ ଶେଷ ଡେଭିସ୍‌ କପ୍‌ ମ୍ୟାଚ ଖେଳିବାକୁ ଯୋଜନା କରିଛି। ୨୦୦୨ରୁ ଭାରତୀୟ ଦଳରେ ଖେଳି ଆସୁଛି। ଆଗାମୀ ଡେଭିସ୍‌ କପ୍‌ ମୁକାବିଲା ଘରୋଇ ପରିବେଶରେ ବେଙ୍ଗାଲୁରୁରେ ହେଉ ବୋଲି ମୁଁ ଚାହୁଁଛି। ମୁଁ ସମସ୍ତ ଭାରତୀୟ ଖେଳାଳିଙ୍କ ସହ କଥା ହୋଇଛି। ସେମାନେ ସମସ୍ତେ ବେଙ୍ଗାଲୁରୁରେ ଖେଳିବାକୁ ରାଜି ଅଛନ୍ତି। କର୍ନାଟକ ରାଜ୍ୟ ଲନ୍‌ ଟେନିସ ଆସୋସିଏଶନ ମଧ୍ୟ ଏହାକୁ ଆୟୋଜନ ପାଇଁ ପ୍ରସ୍ତୁତ ଅଛି। ଏବେ ଫେଡେରେଶନ ଯାହାକିଛି ନିଷ୍ପତ୍ତି ନେବ“ ବୋଲି ବୋପାନ୍ନା କହିଛନ୍ତି।
ବୋପାନ୍ନା ଭାରତ ପକ୍ଷରୁ ୩୨ଟି ଡେଭିସ୍‌ କପ୍‌ ମ୍ୟାଚ ଖେଳି ସାରିଛନ୍ତି। ଲିଆଣ୍ଡର ପେସ୍‌ ସର୍ବାଧିକ ୫୮ଟି ମ୍ୟାଚ ଖେଳିଥିବାବେଳେ ଜୟଦୀପ ମୁଖାର୍ଜୀ ୪୩, ରମାନାଥନ କ୍ରିଷ୍ଣନ ୪୩, ପ୍ରେମଜିତ ଲାଲ ୪୧, ଆନନ୍ଦ ଅମୃତରାଜ ୩୯, ମହେଶ ଭୂପତି ୩୫ ଓ ବିଜୟ ଅମୃତରାଜ ୩୨ଟି ମ୍ୟାଚ ଖେଳି ଏହି ତାଲିକାରେ ପଛକୁପଛ ରହିଛନ୍ତି। ମରକ୍କୋ ବିପକ୍ଷରେ ମ୍ୟାଚ ଖେଳିଲେ ବୋପାନ୍ନା କିମ୍ବଦନ୍ତୀ ଖେଳାଳି ବିଜୟ ଅମୃତରାଜଙ୍କୁ ଅତିକ୍ରମ କରିବେ। ଏଆଇଟିଏ କିନ୍ତୁ ଆଗାମୀ ମୁକାବିଲାକୁ ବେଙ୍ଗାଲୁରୁରେ ଆୟୋଜନ ସପକ୍ଷରେ ନାହିଁ। ”ଭାରତ ପକ୍ଷରୁ ଶେଷ ମ୍ୟାଚ ବେଙ୍ଗାଲୁରୁରେ ଖେଳିଲେ ରୋହନଙ୍କ ପାଇଁ ଭଲ ହେବ। ମାତ୍ର ଆମେ ଉତ୍ତର ପ୍ରଦେଶକୁ ପ୍ରତିଶ୍ରୁତି ଦେଇ ସାରିଛୁ। ଆଗାମୀ ଡେଭିସ୍‌ କପ୍‌ ମ୍ୟାଚ ଲକ୍ଷ୍ନୌରେ ହେବ ବୋଲି ନିଷ୍ପତ୍ତି ହୋଇସାରିଛି“ ବୋଲି ଏଆଇଟିଏ ମହାସଚିବ ଅନିଲ ଧୁପର ପ୍ରକାଶ କରିଛନ୍ତି।

Share