Categories: ଖେଳ

ବୋପାନ୍ନା-ସାନିଆ ବିଜୟୀ

ଲଣ୍ଡନ, ୩।୬(ପି.ଟି.)-ଅଭିଜ୍ଞ ସାନିଆ ମିର୍ଜା ଓ ରୋହନ ବୋପାନ୍ନା ଯୋଡ଼ି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ମିକ୍ସଡ ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅଲ୍‌ ଇଣ୍ଡିଆନ ପ୍ରଥମ ରାଉଣ୍ଡ ମୁକାବିଲାରେ ବୋପାନ୍ନା-ସାନିଆ ୬-୨, ୭-୬(୫) ସେଟ୍‌ରେ ନିଜ ଦେଶର ରାମକୁମାର ରମାନାଥନ ଓ ଅଙ୍କିତା ରାଇନାଙ୍କୁ ପରାସ୍ତ କରିଛନ୍ତି। ଓପନ ଯୁଗରେ ପ୍ରଥମ ଥର ପାଇଁ ଦୁଇ ଭାରତୀୟ ଯୋଡ଼ି କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ରାମକୁମାରଙ୍କ ପାଇଁ ଏହା ଗ୍ରାଣ୍ଡସ୍ଲାମ ପଦାର୍ପଣ ମ୍ୟାଚ ଥିଲା। ପୂର୍ବରୁ ସେ ୨୧ ଥର ପୁରୁଷ ସିଙ୍ଗଲ୍ସ ମୁଖ୍ୟ ଡ୍ର’ରେ ସ୍ଥାନ ପାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ସାନିଆ-ବୋପାନ୍ନା ପ୍ରଥମ ରାଉଣ୍ଡରେ ସହଜରେ ବିଜୟୀ ହୋଇଥିଲେ ହେଁ ଦ୍ୱିତୀୟ ରାଉଣ୍ଡରେ ରାମକୁମାର-ଅଙ୍କିତା କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ମାତ୍ର ଶେଷରେ ଭେଟେରାନ ଯୋଡ଼ିଙ୍କର ବିଜୟ ହୋଇଥିଲା। ତେବେ ସାନିଆଙ୍କ ସର୍ଭିସ ଶଟ୍‌ ସେତେଟା ପ୍ରଭାବୀ ନ ଥିଲା। ପ୍ରକାଶ ଯୋଗ୍ୟ ଯେ, ସାନିଆ ତାଙ୍କ ପାର୍ଟନର ବେଥାନି ମାଟେକ-ସାଣ୍ଡ୍ସଙ୍କୁ ସାଥିକରି ମହିଳା ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମାତ୍ର ରାଇନା ଓ ତାଙ୍କ ଆମେରିକା ପାର୍ଟନର ଲୌରେନ ଡେଭିସ ଆମେରିକା ଯୋଡ଼ି ଆସିଆ ମହମ୍ମଦ ଓ ଜେସିକା ପେଗୁଲାଙ୍କଠାରୁ ହାରି ବିଦାୟ ନେଇଛନ୍ତି। ପୁରୁଷ ଡବଲ୍ସରେ ପ୍ରଥମ ରାଉଣ୍ଡ ମ୍ୟାଚ ହାରି ବୋପାନ୍ନା ଓ ଡିଭିଜ ଶରନ ଯୋଡ଼ି ପୂର୍ବରୁ ବିଦାୟ ନେଇ ସାରିଛନ୍ତି।

Share