Categories: ଖେଳ

ଡେଭିସ୍‌ କପ୍‌ରୁ ବୋପାନ୍ନାଙ୍କ ଅବସର

କଲମ୍ବୋ,୧୮ା୯(ପି.ଟି.): ଭାରତର ଷ୍ଟାର ଟେନିସ୍‌ ଖେଳାଳି ରୋହନ ବୋପାନ୍ନା ଡେଭିସ୍‌ କପ୍‌ କ୍ୟାରିୟରକୁ ଅଲ୍‌ବିଦା ଜଣାଇଛନ୍ତି। ବୋପାନ୍ନା ନିଜ କ୍ୟାରିୟରର ଅନ୍ତିମ ମ୍ୟାଚ ଜିତିବା ଫଳରେ ଭାରତ ୩-୧ରେ ମରକ୍କୋକୁ ପରାସ୍ତ କରିଛି। ଲକ୍ଷ୍ନୌର ମିନି ଷ୍ଟାଡିୟମରେ ଅନୁଷ୍ଠିତ ବିଶ୍ୱ ଗ୍ରୁପ୍‌-୨ର ଏହି ମ୍ୟାଚର ପ୍ରଥମ ଦିନରେ ସ୍କୋର ୧-୧ ରହିଥିଲା। ପ୍ରଥମ ଦିନରେ ଶଶିକୁମାର ମୁକୁନ୍ଦ ନିଜ ମ୍ୟାଚକୁ ହାରିଯାଇଥିବା ବେଳେ ସୁମିତ ନାଗଲ ବିଜୟୀ ହୋଇ ମ୍ୟାଚକୁ ୧-୧ ସ୍ତରକୁ ଆଣିଥିଲେ। ଦ୍ୱିତୀୟ ଦିନରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ବିଜୟୀ ହେବା ସହ ନାଗଲ ଭାରତକୁ ଡ୍ରାଇଭର ସିଟ୍‌ରେ ରଖିଥିଲେ। ରିଭର୍ସ ସିଙ୍ଗଲ୍ସରେ ସୁମିତ ୬-୩, ୬-୩ ସେଟରେ ମରକ୍କୋର ୟାସିନ ଡିଲିମିଙ୍କୁ ହରାଇଥିଲେ। ପରେ ୪୩ ବର୍ଷୀୟ ବୋପାନ୍ନା ୟୁକି ଭାମ୍ବ୍ରିଙ୍କ ସହିତ ପାର୍ଟନର ହୋଇ ଡବଲ୍ସ ମ୍ୟାଚ୍‌ ଖେଳିଥିଲେ।

୧ ଘଣ୍ଟା ୧୧ ମିନିଟ ଧରି ଚାଲିଥିବା ଏହି ମ୍ୟାଚରେ ଭାରତୀୟ ଯୋଡି ମରକ୍କୋର ଏଲିଅଟ୍‌ ବେଞ୍ଚଟ୍ରିଟ୍‌ ଓ ୟୁନିସ୍‌ ଲାଲାମି ଲାରୋଉସନଙ୍କୁ ୬-୨, ୬-୧ରେ ହରାଇଥିଲେ। ଭାରତ ୩-୧ରେ ବିଜୟୀ ହେବା ସହିତ ଦ୍ୱିତୀୟ ଥର ପାଇଁ ନାଗଲ ଦୁଇଟି ଯାକ ରିଭର୍ସ ସିଙ୍ଗଲ୍ସ ମ୍ୟାଚ୍‌ ଜିତିବାର ରେକର୍ଡ କରିଛନ୍ତି। ଶେଷ ଥର ପାଇଁ ୨୦୧୯ରେ ନାଗଲ ପାକିସ୍ତାନ ବିପକ୍ଷରେ ଉଭୟ ସିଙ୍ଗଲ୍ସ ମ୍ୟାଚ୍‌ ବିଜୟୀ ହୋଇଥିଲେ। ଏହି ବିଜୟ ସହିତ ଭାରତ ବିଶ୍ୱକପ ଗ୍ରୁପ୍‌ ପର୍ଯ୍ୟାୟ-୧ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଅନ୍ତିମ ମ୍ୟାଚ୍‌ ତଥା ଡେଡ୍‌ ରବରରେ ଭାରତ ପକ୍ଷରୁ ଯୁବ ଖେଳାଳି ଦିଗ୍‌ବିଜୟ ପ୍ରତାପ ସିଂ ଖେଳିବେ।

ଭାରତ ମ୍ୟାଚ୍‌ ଜିତିବା ପରେ ଭାବବିହ୍ବଳ ବୋପାନ୍ନା ନିଜ ଇଣ୍ଡିଆ ଟି ଶାର୍ଟକୁ କୋର୍ଟରେ ରଖି ଦେଇଥିଲେ। ୩୩ ଟାଇରେ ୫୦ ମ୍ୟାଚ ଖେଳିଥିବା ବୋପାନ୍ନା ୨୩ ମ୍ୟାଚରେ ବିଜୟୀ ହୋଇଛନ୍ତି। ଏହା ମଧ୍ୟରୁ ୧୩ଟି ଡବଲ୍ସ ମ୍ୟାଚ୍‌ ରହିଛି।

Share