Categories: ଜାତୀୟ

ବୁଷ୍ଟର ଡୋଜ୍‌କୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ, ୧୩।୧୨: କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କୋଭିଡ୍‌ ଟିକାର ବୁଷ୍ଟର ଡୋଜ୍‌ ପ୍ରଦାନ ଲାଗି ଅନୁମତି ଦେବାକୁ ବିଭିନ୍ନ କମିଟି ସରକାରଙ୍କୁ ଅନୁରୋଧ କରିଥିଲେ। ଗତ ୧୦ ତାରିଖରେ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂଗଠନର ସବ୍‌ଜେକ୍ଟ ଏକ୍ସପର୍ଟ କମିଟି (ଏସ୍‌ଇସି) ବୈଠକ ବସିଥିଲା। ଏଥିରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ପକ୍ଷରୁ ବୁଷ୍ଟର ଡୋଜ୍‌କୁ ଯଥାର୍ଥତା ଦର୍ଶାଇ ଦାଖଲ କରାଯାଇଥିବା ରିପୋର୍ଟ ଉପରେ ଅନେକ ପ୍ରଶ୍ନ ଉଠାଯାଇଥିଲା। କମିଟି ସିରମ୍‌କୁ ବୁଷ୍ଟର ଡୋଜ୍‌ ପାଇଁ ଅନୁମତି ଦେବାକୁ ମନା କରିଦେଇଛି। କିନ୍ତୁ ଏହା ଉପରେ ପ୍ରଥମେ ଭାରତରେ ପରୀକ୍ଷା କରିବାକୁ ଏସ୍‌ଇସି ଉକ୍ତ କମ୍ପାନୀକୁ ନିର୍ଦ୍ଦେଶ ଦେଇଛି।

ରିପୋର୍ଟ ଅନୁଯାୟୀ ପୂର୍ବରୁ ଏସ୍‌ଆଇଆଇ ପକ୍ଷରୁ କୋଭିଶିଲ୍ଡ ଟିକାର ନିର୍ଦ୍ଧାରିତ ତଥ୍ୟରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ। ଅକ୍ସଫୋର୍ଡ ଏବଂ ଅଷ୍ଟ୍ରାଜେନିକା ପକ୍ଷରୁ ବିକଶିତ ଏହି ଟିକାର ବ୍ରିଟେନରେ ହୋଇଥିବା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଫଳାଫଳ ଆଧାରରେ ଦ୍ୱିତୀୟ ଡୋଜ୍‌ ଟିକା ନେବାର ୬ ମାସ ପରେ ବୁଷ୍ଟର ବା ତୃତୀୟ ଡୋଜ୍‌ ପ୍ରଦାନ ନିମନ୍ତେ ଅନୁମତି ଦେବାକୁ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଥିଲା। କମ୍ପାନୀ ଭାରତରେ ବୁଷ୍ଟର ଡୋଜ୍‌ ପରୀକ୍ଷାର କୌଣସି ତଥ୍ୟ ଦେଇ ନ ଥିବାରୁ ଏସ୍‌ଇସି ଅନୁରୋଧକୁ ଖାରଜ କରିଦେଇଛି।

Share