ବୁମେରାଂ ହେଲା ଷ୍ଟ୍ରାଟେଜି

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୨ା୩: ୟୁକ୍ରେନ୍‌ ସହ ଯୁଦ୍ଧ ଲଢ଼ି ଫସିଯାଇଛି ରୁଷିଆ। ସାମରିକ ଦକ୍ଷତା ଦୃଷ୍ଟିରୁ ବହୁ ଦୁର୍ବଳ ୟୁକ୍ରେନ୍‌କୁ ଆକ୍ରମଣ କରି ସହଜରେ ଦଖଲ କରିବା ଲାଗି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଯେଉଁ ସ୍ବପ୍ନ ଦେଖିଥିଲେ ଏବେ ତାହା ତାଙ୍କ ପାଇଁ ବୁମେରାଂ ସାଜିଛି। ଏ ଯୁଦ୍ଧ ଜିତିବା ସହଜ ନୁହେଁ ବୋଲି ପୁଟିନ୍‌ ମର୍ମେ ମର୍ମେ ଅନୁଭବ କରିସାରିଲେଣି। ସେପଟେ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନ୍‌କୁ ପ୍ରତିଶ୍ରୁତି ମୁତାବକ ସାମରିକ ସହଯୋଗ ଯୋଗାଇବାରେ ବିଫଳ ହୋଇଥିଲେ ହେଁ ରୁଷିଆ ଉପରେ ଗୋଟିଏ ପରେ ଗୋଟିଏ କଟକଣା ଜାରି କରୁଥିବାରୁ ମସ୍କୋର ଚିନ୍ତା ବଢ଼ିଯାଇଛି।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷିଆର କେତେକ ବ୍ୟାଙ୍କ ଉପରେ ଆର୍ଥିକ କଟକଣା ଜାରି କରିବା ପରେ ବ୍ରିଟେନ୍‌ ମଧ୍ୟ ଅନୁରୂପ ପଦକ୍ଷେପ ନେଇଛି। ଏପରି କି ସୋସାଇଟି ଫର୍‌ ଓ୍ବାଲର୍‌ଡଓ୍ବାଇଡ୍‌ ଇଣ୍ଟରବ୍ୟାଙ୍କ ଫାଇନାନ୍ସିଆଲ ଟେଲିକମ୍ୟୁନିକେଶନ୍‌ (ସ୍ବିଫ୍ଟ) ବ୍ୟବସ୍ଥାରୁ ରୁଷୀୟ ବ୍ୟାଙ୍କଗୁଡ଼ିକୁ ବାହାର କରାଯାଇଛି। କେବଳ ଏତିକି ନୁହେଁ, ୟୁଟ୍ୟୁବ୍‌, ଫେସ୍‌ବୁକ୍‌ ଓ ଗୁଗଲ ମଧ୍ୟ ରୁଷିଆ ଉପରେ କଟକଣା ଲଗାଇଛନ୍ତି। ଫିଫା ଏବଂ ୟୁଏଫା ପକ୍ଷରୁ ରୁଷିଆର ସମସ୍ତ କ୍ଲବ୍‌ ଓ ଜାତୀୟ ଟିମ୍‌କୁ ଅନ୍ତର୍ଜାତୀୟ କ୍ରୀଡ଼ାରୁ ବାସନ୍ଦ କରାଯାଇଛି। ୟୁରୋପୀୟ ସଂଘ (ଇୟୁ) ସଦସ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଛୋଟବଡ଼ ଅନେକ କଟକଣା ଜାରି କରାଯାଇଥିବାରୁ ରୁଷିଆର ଜାତୀୟ ଅର୍ଥନୀତି ବହୁଳ ପ୍ରଭାବିତ ହୋଇଛି। ଡଲାର ତୁଳନାରେ ରୁବଲର ବିନିମୟ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଲୋକେ ଆତଙ୍କିତ ହୋଇ ବ୍ୟାଙ୍କଗୁଡ଼ିକରୁ ଜମା ଅର୍ଥ ଉଠାଇବାରେ ଲାଗିଥିବାରୁ ନଗଦ ସଙ୍କଟ ସୃଷ୍ଟି ହୋଇଛି। ଅର୍ଥ କାଢ଼ିବା ପାଇଁ ଏଟିଏମ୍‌ଗୁଡ଼ିକ ସାମ୍ନାରେ ରୁଷୀୟ ଜମାକାରୀଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳୁଛି।

ଯୁଦ୍ଧରେ ରୁଷିଆର ୫,୭୧୦ ସୈନ୍ୟ ନିହତ ହୋଇଛନ୍ତି। ଆହୁରି ୨୦୦ ସୈନ୍ୟ ୟୁକ୍ରେନ୍‌ ସୁରକ୍ଷାବଳ କବ୍‌ଜାରେ ଅଛନ୍ତି। ୟୁକ୍ରେନର ପ୍ରତି ଆକ୍ରମଣରେ ରୁଷିଆର ପ୍ରାୟ ୨୦୦ ଟ୍ୟାଙ୍କ୍‌, ୮୫୦ ଯୁଦ୍ଧଯାନ, ୨୯ ଏୟାରକ୍ରାଫ୍ଟ ନଷ୍ଟ ହୋଇଥିବା କ୍ୱିଭ୍‌ ଦାବି କରିଛି। ୟୁକ୍ରେନର ଦାବି ଅନୁଯାୟୀ ଏହା ରୁଷିଆ ପାଇଁ ବଡ଼ ଧରଣର କ୍ଷତି। ଏହା ସତ୍ତ୍ୱେ କ୍ୱିଭ୍‌ର ଟେକ୍ନୋଲୋଜି ସେଣ୍ଟର ସମେତ ଆବାସିକ ଆପାର୍ଟମେଣ୍ଟଗୁଡ଼ିକୁ ଟାର୍ଗେଟ କରାଯିବ ବୋଲି ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଚେତାବନୀ ଦେଇ ସମ୍ପୃକ୍ତ ଅଞ୍ଚଳ ଖାଲି କରିବାକୁ କହିଛି।

ନାଟୋର ଆଣବିକ ରଣନୀତି ବଦଳିବନି

ରୁଷିଆ ପଟୁ ଆଣବିକ ଅସ୍ତ୍ର ବିପଦ ସତ୍ତ୍ୱେ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସହଯୋଗୀମାନେ ନିଜ ନ୍ୟୁକ୍ଲିୟର ଓ୍ବେପନ ଆଲର୍ଟରେ କୌଣସି ପରିବର୍ତ୍ତନ କରିବା ଜରୁରୀ ନୁହେଁ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।
ପୋଲାଣ୍ଡର ଲାସ୍କ ଏୟାରବେସ୍‌ରେ ନାଟୋ ପକ୍ଷରୁ ଆମେରିକାର ଏଫ୍‌-୧୫ ଏବଂ ଏଫ୍‌-୧୬ ଯୁଦ୍ଧବିମାନଗୁଡ଼ିକୁ ମୁତୟନ କରାଯାଇଛି। ସେଠାରେ ନାଟୋ ମହାସଚିବ ଜେନ୍ସ ଷ୍ଟୋଲେନ୍‌ବର୍ଗ ମଙ୍ଗଳବାର ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡରେଜ ଡୁଡାାଙ୍କ ସହ ୟୁରୋପର ସୁରକ୍ଷା ଉପରେ ଆଲୋଚନା କରିଛନ୍ତି। ଜେନ୍ସ କହିଛନ୍ତି, ନାଟୋ ସହଯୋଗୀଙ୍କ ସୁରକ୍ଷା ଓ ଆମତ୍ରକ୍ଷା ପାଇଁ ସହଯୋଗ ଲାଗି ଯାହା ଆବଶ୍ୟକ ସବୁ କରାଯିବ। ନାଟୋ ଆଣବିକ ବଳର ଆଲର୍ଟ ସ୍ତରରେ ପରିବର୍ତ୍ତନ ଅନାବଶ୍ୟକ। ଆଣବିକ ଅସ୍ତ୍ରକୁ ନେଇ ରୁଷିଆର ଦାୟିତ୍ୱହୀନ ମନ୍ତବ୍ୟ ଯୋଗୁ ନାଟୋର ରଣନୀତି ବଦଳିବ ନାହିଁ।

Share