Categories: ଜାତୀୟ

ହାଡ଼ଭଙ୍ଗା ଶୀତ, ରାଜଧାନୀରେ ତାପମାତ୍ରା ୪.୬ ଡିଗ୍ରୀ-ରାଜସ୍ଥାନରେ ମାଇନସ୍‌ ୧.୧…

ନୂଆଦିଲ୍ଲୀ, ୧୯।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଉତ୍ତରଭାରତ ସମେତ ଦେଶର ବହୁ ଅଞ୍ଚଳରେ ତାପମାତ୍ରା ହଠାତ୍‌ କମିବା ସହିତ ହାଡ଼ଭଙ୍ଗା ଶୀତ ଆରମ୍ଭ ହୋଇଛି। ରବିବାର ଜାତୀୟ ରାଜଧାନୀ ଦିଲ୍ଲୀରେ ଶୀତଦିନିଆ ସକାଳ ସହିତ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ଯେ ଏଠାରେ ସର୍ବାଧିକ ତାପମାତ୍ରା ପ୍ରାୟ ୧୮ ଡିଗ୍ରୀ ସେଲସିୟସ ହେବାର ସମ୍ଭାବନା ରହିଛି। ଜାତୀୟ ରାଜଧାନୀରେ ନିର୍ମଳ ଆକାଶ ଏବଂ ଥଣ୍ଡା ପବନର ପୂର୍ବାନୁମାନ ପାଣିପାଗ ବିଭାଗ ପକ୍ଷରୁ କରାଯାଇଛି।

ଏଥି ସହିତ, ରାଜସ୍ଥାନରେ ତାପମାତ୍ରା କ୍ରମଶଃ କମିବାରେ ଲାଗିଛି। ପାଣିପାଗ ବିଭାଗ ଅନୁଯାୟୀ, ପଶ୍ଚିମ ରାଜସ୍ଥାନର ଚୁରୁରେ ସର୍ବନିମ୍ନ ତାପମାତ୍ରା ମାଇନସ୍‌ ୧.୧ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି। ହିମାଚଳ ପ୍ରଦେଶ, ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀ, ପଶ୍ଚିମ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ସାଧାରଣ ତାପମାତ୍ରା ମାଇନସ୍‌ ୧.୬ ଡିଗ୍ରୀ ସେଲସିୟସରୁ ମାଇନସ୍‌ ୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ସକାଳେ ଘନ କୁହୁଡ଼ି ଯୋଗୁ ଦିଲ୍ଲୀରେ ୩ ଦିନ ପାଇଁ ଆଲର୍ଟ ଜାରି କରାଯାଇଛି। ଘଡ଼ କୁହୁଡ଼ି ଯୋଗୁ ସଫଦରଜଙ୍ଗରେ ଭିଜିବିଲିଟି ଦୂରତା ୧୮୦୦ ମିଟର ରେକର୍ଡ କରାଯାଇଛି । ଏହା ବ୍ୟତୀତ ପାହାଡ ଉପରେ ତୁଷାରପାତ ହେଉଥିବାରୁ ଏହାର ଆଖପାଖ ରାଜ୍ୟ ଉପରେ ପ୍ରଭାବ ପଡୁଛି।

ଉତ୍ତରପ୍ରଦେଶ ସହିତ ପଞ୍ଜାବ, ହରିୟାଣା, ବିହାରରେ ମଧ୍ୟ ଥଣ୍ଡାର ପ୍ରକୋପ ବୃଦ୍ଧି ପାଉଛି। ପାଣିପାଗ ବିଭାଗର ସୂଚନାନୁସାରେ, ଦିଲ୍ଲୀରେ ଶୀତ ଲହରୀ ଆରମ୍ଭ ହେଉଥିବାରୁ ଆଗାମୀ ୨ ରୁ ୩ ଦିନ ତାପମାତ୍ରା ପୁଣି କମିବାର ସମ୍ଭାବନା ରହିଛି।

Share