Categories: ଜାତୀୟ

ପୁଣି ଥରେ ଭାଜପା ଏମ୍‌ପିଙ୍କ ଘରେ ଫୁଟିଲା ବୋମା

କୋଲକାତା, ୧୪।୯: ଭାଜପାର ପଶ୍ଚିମବଙ୍ଗ ଏମ୍‌ପି ଅର୍ଜୁନ ସିଂଙ୍କ ଘର ଆଗରେ ମଙ୍ଗଳବାର ସକାଳ ୯ଟାରେ ବୋମା ମାଡ଼ କରାଯାଇଛି। ତେବେ ଭାଜପା ଏମ୍‌ପିଙ୍କ ଘର ଆଗରେ ବୋମା ମାଡ଼ କରାଯିବାର ଏହା ପ୍ରଥମ ଘଟଣା ନୁହେଁ। ଗତ ୮ ତାରିଖରେ ମଧ୍ୟ କୋଲକାତାଠାରୁ ୪୦ କିମି ଦୂର ଭାତପାରାସ୍ଥିତ ତାଙ୍କ ବାସଭବନ ଉପରେ ୩ ବୋମା ମାଡ଼ କରାଯାଇଥିଲା। ଏହି ଘଟଣାର ତଦନ୍ତ ପାଇଁ ଏନ୍‌ଆଇଏ(ଜାତୀୟ ତଦନ୍ତକାରୀ ଏଜେନ୍ସି)କୁ ସୋମବାର ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ।

ତଦନ୍ତ ନିର୍ଦ୍ଦେଶ ଦିଆଯିବାର ଦିନକ ପରେ ତାଙ୍କ ଘର ଆଗରେ ବୋମା ମାଡ଼ କରାଯାଇଛି। ଘଟଣା ସ୍ଥଳରେ ପୋଲିସ ଓ ବୋମା ନିଷ୍କ୍ରିୟ ସ୍କାଡ ପହଞ୍ଚିଥିଲେ। ବୋମା ମାଡ଼ ପଛରେ କିଏ ଜାଣିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ତେବେ ସରକାରରେ ଥିବା ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ବୋମା ମାଡ଼ କରିଥିବା ଭାଜପା ଏମ୍‌ପି ଅଭିଯୋଗ କରିଛନ୍ତି। କିନ୍ତୁ ଏହାକୁ ଖଣ୍ଡନ କରିବା ସହ ଭାଜପା ନେତା ଡ୍ରାମା କରୁଥିବା ଟିଏମ୍‌ସି ବିଧାୟକ ପାର୍ଥ ଭୋମିକ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୮ ତାରିଖ ସକାଳ ୬ଟା ୩୦ରେ ବାରକପୁର ଏମ୍‌ପିଙ୍କ ବାସଭବନର ଗେଟ୍‌ ଉପରକୁ ୩ ବୋମା ମାଡ଼ କରାଯାଇଥିଲା। ସେତେବେଳେ ସେ ଦିଲ୍ଲୀରେ ଥିଲେ। କିନ୍ତୁ ଘରେ ଥିଲେ ତାଙ୍କ ପରିବାର ସଦସ୍ୟ। ତେବେ ବୋମା ମାଡ଼ରେ କେହି ଆହତ ହୋଇ ନ ଥିଲେ।

Share