ଯୁଦ୍ଧ ଭାଙ୍ଗି ପାରିନି ୟୁକ୍ରେନବାସୀଙ୍କ ମନୋବଳ

କ୍ୱିଭ,୧୩ ।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ୧୭ ଦିନ ପୂରଣ କରି ସାରିଛି । ଏହାରି ଭିତରେ ୟୁକ୍ରେନର ସ୍ଥିତି ଅତି ଭୟଙ୍କର ହୋଇଯାଇଛି । ଏହାରି ଭିତରେ ବି ବଞ୍ଚି ରହିଥିବା ଲୋକେ ଜୀବନ ପାଇଁ ସଂଘର୍ଷ ଜାରି ରଖିଛନ୍ତି । ସେମିତି ଜଣେ ଯୁବତୀ ହେଉଛନ୍ତି ୨୫ ବର୍ଷୀୟା ଏଞ୍ଜେଲା କାଲିସନିକ । ସେ ମାୟକୋଲେବ ସହରରେ ଗୋଲାପ ଓ ଟ୍ୟୁଲିପ ଫୁଲ ବିକ୍ରି କରୁଛନ୍ତି । ସେ କୁହନ୍ତି ୟୁକ୍ରେନର ସବୁଠି ବୋମାମାଡର ଶବ୍ଦ ଶୁଭୁଛି ସତ ହେଲେ ଏହି ଶବ୍ଦ କେବେ ଫୁଲର ବାସ୍ନାକୁ ଛଡାଇ ନେଇ ପାରିବ ନାହିଁ ।
ଏଞ୍ଜେଲା କହିଛନ୍ତି ୨୪ ଫେବୃୟାରୀରେ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ସପ୍ତାହକ ପାଇଁ ସେ ତାଙ୍କ ଫୁଲ ଦୋକାନ ବନ୍ଦ କରି ଦେଇଥିଲେ । ହେଲେ ସପ୍ତାହେ ପରେ ସେ ପୁଣିଥରେ ଦୋକାନ ଖୋଲିବାକୁ ସ୍ଥିର କରିଥିଲେ । ତାଙ୍କୁ ଜଣା ନ ଥିଲା କି ଯୁଦ୍ଧରେ ତାଙ୍କ ସହର ସୁନଶାନ ହୋଇଯିବ । ସେ କହିଛନ୍ତି ଯୁଦ୍ଧ ହେଉଛି ଯୁଦ୍ଧ । ହେଲେ ଲୋକେ ଏଭଳି ସ୍ଥିତିରେ ବି ବଞ୍ଚିବା ଜାରି ରଖିଛନ୍ତି । କେତେଜଣ ସେନା ମହିଳା ଦିବସରେ ତାଙ୍କ ପ୍ରେମୀକାଙ୍କ ପାଇଁ ଫୁଲ କିଣିଥିବା ସେ କହିଛନ୍ତି ।
ବ୍ଲାକ ସି କୂଳରୁ ପାଖାପାଖି ୧୩୦ କିଲୋମିଟର ଦୂରରେ ରହୁଥିବା ଏଞ୍ଜେଲା କୁହନ୍ତୁ ପ୍ରବଳ ଥଣ୍ଡାରେ ଆମ ଅଞ୍ଚଳରେ ଫୁଲ ଫୁଟିବା ବନ୍ଦ ହୋଇନାହିଁ । ଆଉ ଏହି ଫୁଲକୁ ଆମେ ଫୋପାଡିବାକୁ ଚାହୁଁନା । ଲୋକେ ଆବଶ୍ୟକ ପଡିଲେ ଘରୁ ବାହାରକୁ ବାହାରୁଛନ୍ତି । ହେଲେ ଏବେବି ଏଞ୍ଜେଲାଙ୍କ ଦୋକାନରେ ରଙ୍ଗ ବେରଙ୍ଗର ଫୁଲ ତୋଡା ଦେଖିବାକୁ ମିିଳିଛି । ତାଙ୍କର ଦୃଢ ମନୋବଳ ଆଗରେ ହାର ମାନିଛି ଯୁଦ୍ଧର ବୋମାମାଡ ଶବ୍ଦ ।

Share