ବୋମାମାଡ଼ ଘଟଣା: ୭ ଗିରଫ

ପୁରୀ ଅଫିସ,୧୮।୧: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ଘଟଣାରେ ପୁରୀ ବାସେଳିସାହି ଥାନା ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ବିପୁଳ ମାରଣାସ୍ତ୍ର ଜବତ ହୋଇଛି। ଏ ନେଇ ରବିବାର ପୁରୀ ଏସ୍‌ପି କନୱର ବିଶାଲ ସିଂ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାଲିଗୋଡ଼ି ସପ୍ଲାଇକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଥିଲା। ଏହି ଶତ୍ରୁତା ପରେ ଆକ୍ରମଣର ରୂପ ନେଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଲୋକନାଥ ରୋଡ୍‌ ଜୀବରାମଜୀପଲ୍ଲୀଠାରେ ପପୁ ଦାସ ନାମକ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯିବା ସହ ତାଙ୍କ ଉପରକୁ ବୋମାମାଡ଼ ହୋଇଥିଲା। ସୌଭାଗ୍ୟବଶତଃ ପପୁ ବୋମାମାଡ଼ରୁ ବର୍ତ୍ତି ଯାଇଥିଲେ। ତେବେ ଉଭୟ ପକ୍ଷର ଦୁଇଟି ଅଭିଯୋଗ ଭିତ୍ତିରେ ପୋଲିସ ୨ଟି ମାମଲା ରୁଜୁ କରିଥିଲା। ଏହି ଘଟଣାରେ ଅଜୟ କୁମାର ଜେନା, ସୋମନାଥ ମହାପାତ୍ର, ପ୍ରଶାନ୍ତ ଦାସ, ବୁଲୁ ଦାସ, ସୁମନ୍ତ ମହାରଣା, ନାରାୟଣ ଭୋଇ, ପପୁ ଦାସଙ୍କୁ ଗିରଫ କରାଯାଇଛି। ଏମାନଙ୍କଠାରୁ ଗୋଟିଏ ଏୟାର ଗନ୍‌, ଛୁରି, କଟୁରି, ବୋମା ଓ ମୋବାଇଲ ଫୋନ୍‌ ଜବତ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୪୧, ୩୨୩, ୩୦୭, ୩୪ ଓ ଆମର୍‌ସ ଆକ୍ଟର ଦଫା ରୁଜୁ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ଏବେ ମଧ୍ୟ ଫେରାର ରହିଛନ୍ତି।